ଏସବିଆଇରୁ ୮ କୋଟି ଠକେଇ

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳୁ୍ୟ) ଅଧିକାରୀମାନେ ଜାଲ କାଗଜପତ୍ର ଦାଖଲ କରି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ରୁ ୮ କୋଟି ୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ୪ ଜଣ ଠକକୁ ଗିରଫ କରିଛି  । ଦୁଇ ଠକ ଶ୍ରୁତି ରଞ୍ଜନ ସେଠୀ ଓ ଏମ ଦିବ୍ୟାଶ୍ରୀ ଜ୍ୟୋତି ରଞ୍ଜନଙ୍କୁ କ୍ରାଇମବ୍ରାଞ୍ଚ ଜଗତସିଂପୁରରୁ ଏବଂ ନିରଞ୍ଜନ ବେହେରା ଓ ଦେବାଶିଷ ବେହେରାଙ୍କୁ ନୟାପଲ୍ଲୀ ଅଞ୍ଚଳରୁ ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ନିଜକୁ ରାଜ୍ୟର ବିଭିନ୍ନ ଘରୋଇ କମ୍ପାନୀର ଦରମାପ୍ରାପ୍ତ କର୍ମଚାରୀ ଦର୍ଶାଇ ୨୦୨୧ ନଭେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ ଜାଲ କାଗଜପତ୍ର ଦାଖଲ କରି ଏସବିଆଇର ଜୟଦେବ ବିହାର ବ୍ରାଞ୍ଚ ଓ ଡମଣା ଛକ ବ୍ରାଞ୍ଚରୁ ୮ କୋଟି ୧ ଲକ୍ଷ ଟଙ୍କା କ୍ରେଡ଼ିଟ୍ କାର୍ଡରେ ଋଣ ନେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଟଙ୍କା ବ୍ୟାଙ୍କରେ ଜମା କରିନଥିଲେ । ଫଳରେ ବ୍ୟାଙ୍କ ପକ୍ଷରୁ ବାରମ୍ବାର ଋଣ ନେଇଥିବା ବ୍ୟକ୍ତିମାନଙ୍କୁ ନୋଟିସ ଜାରି କରିଥିଲେ ମଧ୍ୟ ସେମାନେ ଏହାର କିଛି ଉତ୍ତର ଦେଇନଥିଲେ  । ପରବର୍ତ୍ତୀ ସମୟରେ ସେମାନଙ୍କୁ କାଗଜପତ୍ର ଯାଞ୍ଚ କରିବାରୁ ଏହା ଜାଲ ଥିବା ଜଣାପଡିବା ପରେ ଏସବିଆଇର ରିଜିଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁ ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଳୁ୍ୟରେ ଅଭିଯୋଗ କରିବା ପରେ ଏନେଇ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି  ।