ସମସ୍ୟାଘେରରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ
ନିଶ୍ଚିନ୍ତକୋଇଲିରୁ ରତ୍ନାକର ବାରିକ : ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ କଟିକଟା ପଞ୍ଚାୟତରେ ଥିବା ନୂଆଁଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏହି ବିଦ୍ୟାଳୟରେ ପ୍ରମୁଖ ସମସ୍ୟା ହେଉଛି ଶ୍ରେଣୀ ଗୃହର ଅଭାବ । ବିଦ୍ୟାଳୟରେ ଏକମାତ୍ର କୋଠାଘରେ ଥିବା ଗୋଟିଏ କୋଠରୀରେ ୬ଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକାଠି ବସି ବିଦ୍ୟାଧ୍ୟୟନ କରୁଥିବା ଅତ୍ୟନ୍ତ ଦୁଃଭାର୍ଗ୍ୟଜନକ ଘଟଣା । ଏହି ଏକମାତ୍ର କୋଠରୀରେ ବାଟିକା ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୪୫ଜଣ ଛାତ୍ରଛାତ୍ରୀ ଏକାଠି ବସୁଛନ୍ତି । ବିଦ୍ୟାଳୟରେ ଥିବା ଦୁଇଜଣ ଶିକ୍ଷକଙ୍କୁ ଏହି କୋଠରୀରେ ବସି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ସମସ୍ୟା ଉପୁଜୁଛି । ପୂର୍ବରୁ ବିଦ୍ୟାଳୟକୁ ଲାଗି ଏଠାରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳ ରହିଥିଲା । ଏହି ବାତ୍ୟା ଆଶ୍ରୟସ୍ଥଳରେ ବିଦ୍ୟାଳୟର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢୁଥିବବେଳେ ଏହି କୋଠରୀଟିରେ ଅଫିସ କାର୍ଯ୍ୟ ଚାଲିଥିଲା । ବାତ୍ୟା ଆଶ୍ରୟସ୍ଥଳର ଛାତ ଫାଟିଯିବା, କାନ୍ଥ ଫାଟି ଆଁ କରିବା, ପିଲରରୁ ଢଳେଇ ଛାଡ଼ି ରଡ଼ ଦେଖାଯିବା ସହିତ କବାଟ ଝରକା ଗୁଡ଼ିକ ସବୁ ନଷ୍ଟ ହୋଇଗଲାଣି । ଯାହାଦ୍ୱାରା ଏହି ବାତ୍ୟା ଆଶ୍ରୟ ସ୍ଥଳଟି ଏବେ ସମ୍ପୂର୍ଣ୍ଣ ବିପଦସଂକୁଳ ଅବସ୍ଥାର ରହିଥିବାରୁ ସେଠାରେ ଆଉ ପାଠପଢା ହୋଇପାରୁନାହିଁ । ଏହି ବିଦ୍ୟାଳୟ ପାଇଁ ବର୍ତ୍ତମାନ ଏକମାତ୍ର କୋଠରୀ ସାହାଭରଷା ପାଲଟିଛି । ଏହି କୋଠରୀରେ ପିଲାଙ୍କ ପାଠପଢା ଚାଲିଥିବାବେଳେ ଅଫିସ କାମ, ବିଭିନ୍ନ ପାଠ୍ୟପକରଣ ରଖାଯିବା, ମଧ୍ୟାହ୍ନଭୋଜନ ସଂକ୍ରାନ୍ତୀୟ ଚାଉଳ ଠାରୁ ଆରମ୍ଭ କରି ବିଭିନ୍ନ ଆସବାପତ୍ର ଏହି ଗୋଟିଏ କୋଠରୀରେ ରହିଛି । ଏହାଛଡ଼ା ଉକ୍ତ ବିଦ୍ୟାଳୟର ରୋଷେଇ ଘରର ଅବସ୍ଥା ମଧ୍ୟ ଭଲ ନାହିଁ । ଛାତ୍ର ଛାତ୍ରୀମାନଙ୍କ ପାଇଁ ପାଇଖାନା ଭଲ ଅବସ୍ଥାରେ ନଥିବା ବେଳେ ପିଇବା ପାଣିର ମଧ୍ୟ ସେଭଳି ସୁବିଧା ନାହିଁ । ଉକ୍ତ ବିଦ୍ୟାଳୟଟି ଗାଁ ଶେଷ ମୁଣ୍ଡ ଏକ କେନାଲ ବନ୍ଧ କଡ଼ରେ ଅବସ୍ଥିତ ହୋଇଥିବାରୁ ଏଠାକୁ ଯାତାୟତ ପାଇଁ ଏକ ଭଲ ସବୁିଦିନିଆ ରାସ୍ତା ନାହିଁ । ଟିକିଏ ବର୍ଷା ହେଲେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ କାଦୁଆ ପାଣିରେ ପଶି ଏହି ବିଦ୍ୟାଳୟକୁ ଆସିଥାନ୍ତି । ତୁରନ୍ତ ଏହି ବିଦ୍ୟାଳୟରେ ଅତି କମ୍ରେ ତିନି ଚାରୋଟି ଶ୍ରେଣୀ ଗୃହ ନିର୍ମାଣ କରାଯିବା ପାଇଁ ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି । ବିଦ୍ୟାଳୟର ଅବସ୍ଥାରେ ସୁଧାର ଆଣିବାକୁ ହେଲେ ପ୍ରଥମେ ବିପଦସଂକୁଳ ବାତ୍ୟା ଆଶ୍ରୟ ସ୍ଥଳଟିକୁ ଭାଙ୍ଗି ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ଆବଶ୍ୟକ ରହିଛି । ଏ ସଂକ୍ରାନ୍ତରେ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ବାରମ୍ବାର ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ କୌଣସି ପଦପେକ୍ଷ ନିଆନଯିବାରୁ ତୀବ୍ର ଅସନ୍ତୋଷ ଦେଖାଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ କରାଯାଇ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା ବେଳେ ନୂଆଁଗାଁ ପ୍ରାଥମିକ ବିଦ୍ୟାଳୟର ଏଭଳି ଅବସ୍ଥା ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ଶିକ୍ଷାବିତ୍ ମହଲରେ ଆଲୋଚନା ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ ଏହି ବିଦ୍ୟାଳୟର ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।