ମମତାଙ୍କୁ ମୋହନଙ୍କ ଚିଠି: ଦୀଘାକୁ ‘ଜଗନ୍ନାଥ ଧାମ’ କୁହନି
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ‘ଜଗନ୍ନାଥ ଧାମ’ ବୋଲି ଅଭିହିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଆପତ୍ତି ଜଣାଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଏହି ମର୍ମରେ ପତ୍ର ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ହିନ୍ଦୁ ଧର୍ମ ଆଧାରରେ ଚାରି ଧାମ ମଧ୍ୟରେ ଅନ୍ୟତମ ହେଉଛି ଶ୍ରୀଜଗନ୍ନାଥ ଧାମ ପୁରୀ । ଏହାର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଧାର୍ମିକ ମହତ୍ତ୍ୱ ରହିଛି । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ବିଶ୍ୱର କୋଟି କୋଟି ଭକ୍ତ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଜାଣିଛନ୍ତି । ପୁରୀ ସହ ଜଗନ୍ନାଥ ଧାମର ଏକ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଏହା ପୁରୀର ଏକ ପରିଚୟ । ଯଦି କୌଣସି ମନ୍ଦିର କିମ୍ବା ସ୍ଥାନକୁ ଶ୍ରୀଜଗନ୍ନାଥ ଧାମ କୁହାଯାଏ, ତାହା ଲକ୍ଷ ଲକ୍ଷ ଭକ୍ତ, ପର୍ଯ୍ୟଟକଙ୍କ ଭାବାବେଗକୁ ଆଘାତ ପହଁଚାଇବ । କିନ୍ତୁ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କହି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି । ପୁରୀ ହେଉଛି ଐତିହାସିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଜଗନ୍ନାଥ ଧାମ । କିନ୍ତୁ ଦୀଘାକୁ ଜଗନ୍ନାଥ ଧାମ କହିବା ଦ୍ୱାରା ଲୋକଙ୍କ ଧାର୍ମିକ ଭାବାବେଗ ଆହତ ହୋଇଛି । ଏହି ପରିପ୍ରେକ୍ଷୀରେ ଦୀଘା ମନ୍ଦିର ସହ ଶ୍ରୀଜଗନ୍ନାଥ ଧାମ ଯୋଡ଼ିବା ବା ବ୍ୟବହାର ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତିଯେ, ପ୍ରଚାର ପତ୍ର ଓ ସରକାରୀ ଭାବେ ଏହାକୁ ବ୍ୟବହାର କରାନଯାଉ । ଆନ୍ତଃରାଜ୍ୟ ଭାବନାକୁ ସମ୍ମାନ ଜଣାଇ ଏନେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।