ଫାର୍ମାସିଷ୍ଟ ଅଭାବ, ହନ୍ତସନ୍ତ ରୋଗୀ
ନୂଆପଡା : ନୂଆପଡ଼ା ଜିଲ୍ଲା ଖରିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ପ୍ରାୟ ୨୫୦ରୁ ୩୫୦ ଜଣ ବହିଃର ବିଭାଗ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ଏବଂ ୫୦ ରୁ ୧୦୦ଜଣ ଅନ୍ତଃ ବିଭାଗ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏପରି ଅବସ୍ଥାରେ ବି ହସ୍ପିଟାଲର ଫାର୍ମାସୀ ବିଭାଗରେ କେବଳ ୨ଜଣ ଫାର୍ମାସିଷ୍ଟ ଅଫିସର ଥିବା ଫଳରେ ରୋଗୀମାନେ ଦୀର୍ଘ ସମୟ ଲାଇନ୍ରେ ଅପେକ୍ଷା କରି ଅସୁବିଧା ଅନୁଭବ କରୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସବ୍ଡ଼ିଭିଜନ ହସ୍ପିଟାଲ ଗୁଡ଼ିକ ସବୁବେଳେ ଖୋଲା ରଖିବା ଦରକାର । କିନ୍ତୁ ଷ୍ଟାଫ୍ ଅଭାବ ହେତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମାତ୍ର ୧୨ ଘଣ୍ଟା ସକାଳ ୮ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଚାଲୁ ରହିଛି । ବର୍ତ୍ତମାନ ମିଳିଥିବା ତଥ୍ୟ ଅନୁଯାୟୀ, ଏଠାରେ ହାରାହାରି ୫ ଜଣ ଫାର୍ମାସିଷ୍ଟି କର୍ମଚାରୀ ଦରକାର ହେଉଛନ୍ତି । ମର୍ଣିଙ୍ଗ ସିିଫ୍ଟରେ ୨ ଜଣ, ଡେ ସିଫ୍ଟ ୧ ଜଣ, ନାଇଟ୍ ସିଫ୍ଟରେ ୧ଜଣ, ଏବଂ ଏମରର୍ଜେନ୍ସି ସେବା ପାଇଁ ୧ ଜଣ ରହିବା କଥା । କିନ୍ତୁ ବର୍ତ୍ତମାନ ମାତ୍ର ୨ଜଣ ଅଛନ୍ତି । ଯାହା ଦ୍ୱାରା ଏତେ ବଡ଼ ଭିଡକୁ ସମ୍ଭାଳିବା ଅସମ୍ଭବ ହେଉଛି । ଏହା ବ୍ୟତୀତ ପ୍ରତିଦିନ ୧୦ ରୁ ୨୦ ଜଣ କୁକୁର କାମୁଡ଼ା ରୋଗୀ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି । ଯାହାକୁ ନେଇ ଅଧିକ ଫାର୍ମାସିଷ୍ଟର ଆବଶ୍ୟକତା ଅନୁଭବ କରାଯାଉଛି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶ୍ରୀଘ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି ।