ମହିଳାଙ୍କୁ ଛୁରି ଦେଖାଇ ହାତଗୋଡ଼ ବାନ୍ଧି ବଳାତ୍କାର
ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ଘର ଭିତରେ ଛୁରି ଦେଖାଇ ହାତଗୋଡ଼ ବାନ୍ଧି ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହୃଷୀକେଶ ସାହୁଙ୍କୁ ଗିରଫ କରିଛି।
ଘଟଣାରୁ ଜଣାପଡ଼ିଛି ଯେ, ରଣପଶି ଓଭରବ୍ରିଜ୍ ନିକଟରେ ଜଣେ ମହିଳା ଭଡ଼ାରେ ଏକୁଟିଆ ରହୁଥିଲେ। ନିକଟରେ ଏକ ସ’ ମିଲରେ କାରିଗର ଭାବେ କାମ କରୁଥିବା ଦେବଗଡ଼ ଜିଲା ଅଞ୍ଚଳର ହୃଷୀକେଶ ତାଙ୍କ ଉପରେ ନଜର ରଖିଥିଲେ ଏବଂ ତାଙ୍କ ପିଛା କରୁଥିଲେ। ଶୁକ୍ରବାର ରାତିରେ ମହିଳା ଜଣକ କୌଣସି କାର୍ଯ୍ୟରେ ଘର ବାହାରକୁ ଆସିଥିବା ବେଳେ ଏହାର ସୁଯୋଗ ପାଇ ହୃଷୀକେଶ ଘରେ ଭିତରେ ଆଗରୁ ଯାଇ ଲୁଚିଥିଲେ। ମହିଳା ଜଣକ ଘରକୁ ଆସି ଏକ ବହି ପଢ଼ିବାକୁ ବସିଥିବା ବେଳେ ହଠାତ୍ ହୃଷୀକେଶ ତାଙ୍କ ପଛପଟୁ ଆସି ମୁହଁରେ ଏକ ଚାଦର ପକାଇ ତାଙ୍କୁ ଧରିନେଇଥିଲେ। ଏହାପରେ ତାଙ୍କୁ ଛୁରି ଦେଖାଇ ତାଙ୍କର ହାତଗୋଡ଼ ବାନ୍ଧି ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ବଳାତ୍କାର କରିଥିଲେ। ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ. ୪୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍ପି ପ୍ରଭାତ କୁମାର ବିଶ୍ୱାଳ ଘଟଣାର ତଦନ୍ତ କରିଥିଲେ। ଏହାପରେ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଗିରଫ କରି ପଚରାଉଚରା କରାଯାଇଥିଲା। ତାଙ୍କଠାରୁ ଘଟଣାରେ ବ୍ୟବହୃତ ଛୁରି ଜବତ କରାଯାଇଥିଲା।
ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚତ୍ ସେଠାରେ ପଡ଼ିଥିବା ପାଦଚିହ୍ନକୁ ନେଇ ତଦନ୍ତ କରିଥିଲେ। ଅଭିଯୁକ୍ତ ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରେ ସିନ୍ ରିକ୍ରିଏଶନ କରିଥିଲେ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି। ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି ା ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ କହିଛି।