ଦୃଷ୍ଟିହୀନ ନାବାଳିକାଙ୍କୁ ଦୁଷ୍କର୍ମ : ଦୋଷୀକୁ ଆଜୀବନ ଜେଲ

ଦୃଷ୍ଟିହୀନ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ୧୦୦ଦିନ ଭିତରେ ମାମଲାର ଫଇସଲା କରି ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ । ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ଦୋଷୀ ଗିରିଧାରୀ ନାଏକକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି ଅତିରିକ୍ତ ବିଚାରପତି । ଏଥିସହ ପିଡିତାଙ୍କୁ ୧୦ଲକ୍ଷ ୫୦ହଜାର ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ୧୦୦ଦିନ ଭିତରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଝାରସୁଗୁଡା ପୁଲିସ ସଫଳ ହୋଇଛି । 

ମେ ୨ ତାରିଖରେ ରେଙ୍ଗାଲି ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା । ମା ଛେଉଣ୍ଡ ଜଣେ ଦୃଷ୍ଟିହୀନ ନାବାଳିକା ପଡିଶା ଘରେ ଟେଲିଭିଜନ ଶୁଣିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରିଥିଲା ଗିରିଧାରୀ ନାଏକ । ଏନେଇ ଥାନାରେ ଏତଲା ପରେ ଗିରିଧାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ।