ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ : ଅରୁଆ ଚାଉଳରେ ରଥ ନିର୍ମାଣ

ପିପିଲି : ଭକ୍ତ ମହାପ୍ରଭୁଙ୍କ ପ୍ରତି ଭିନ୍ନ ପ୍ରକାରରେ ନିଜର ଭକ୍ତି ଦର୍ଶାଇଥାଏ। ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ ହୋଇଉଠିଛି। ଏହା ପୂର୍ବରୁ ପିପିଲି ବ୍ଲକ ଦର୍ଜିସାହି ଗ୍ରାମର ଯୁବ କାରିଗର ଅକ୍ଷୟ ମହାପାତ୍ର ଅରୁଆ ଚାଉଳରେ ରଥ ନିର୍ମାଣ କରି ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କ ଭକ୍ତିକୁ ଦର୍ଶାଇଛନ୍ତି। ଏହି ବର୍ଷ ସେ ଅରୁଆ ଚାଉଳରେ ଅତି ନିଖୁଣ ଭାବେ ରଥର ଚକ, ଚାରମାଳ ବାଇଶି ପାହଚ, ପୋଟଳ, ପାରା ଭାଡ଼ି ସହ ରଥରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ୨ ଫୁଟର ରଥ ପାଇଁ ୧୨ଶହ ଗ୍ରାମ ଅରୁଆ ଚାଉଳ ଲାଗିଥିବା ବେଳେ ଅକ୍ଷୟଙ୍କୁ ୨ରୁ ଅଢ଼େଇ ମାସ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ସେ ଏହି ରଥକୁ ଭକ୍ତଙ୍କ ଉଦ୍ଦେଶ୍ୟରେ କରିଥିବା କହିଛନ୍ତି।
ଏହି ରଥ ତିଆରିରେ ତାଙ୍କ ମା’ ସଞ୍ଜୁଲତା ସହଯୋଗ କରିଥିବାବେଳେ କାର୍ଯ୍ୟକୁ ନେଇ ପୂରା ପରିବାର ବେଶ୍ ଖୁସି ଅଛନ୍ତି। ଏହା ପୂର୍ବରୁ ସେ ଦିଆସିଲି କାଠି ଓ ସୋଲରେ ମହାପ୍ରଭୁଙ୍କ ରଥ ଓ ମୂର୍ତ୍ତି ନିର୍ମାଣ କରିଥିଲେ, ଯାହାକୁ ନେଇ ଅକ୍ଷୟଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା। ସ୍ଥାନୀୟ ଦର୍ଜି ସାହି ବାସିନ୍ଦା ଓ ଅଞ୍ଚଳର ବୁଦ୍ଧିଜୀବୀ ତାଙ୍କର ଏଭଳି କାର୍ଯ୍ୟଦକ୍ଷତା ପାଇଁ ଉତ୍ସାହିତ କରିଛନ୍ତି। ଅକ୍ଷୟ ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବାବେଳେ ପିପିଲିର ଶ୍ରୀପତିତପାବନ ମନ୍ଦିରରେ ତାଙ୍କ ପରିବାର ସେବା କାର୍ଯ୍ୟ କରିଥାନ୍ତି ବୋଲି ସେ କହିଛନ୍ତି।