ଦୃଶ୍ୟମାନ ହେଲା ରେଡ୍ ମୁନ୍

ଦୃଶ୍ୟମାନ ହେଲା ରେଡ୍ ମୁନ୍

 ଭୁବନେଶ୍ୱର:  ଭୁବନେଶ୍ୱର : ଆଜି ଆକାଶରେ ଦିଶିଛି ଲାଲ୍ ଜହ୍ନ ବା ବ୍ଲଡ୍ ମୁନ୍  । ଜହ୍ନ ପୂରା ରକ୍ତିମ ଦୃଶ୍ୟମାନ ହୋଇଥିଲା  । ୮୨ ମିନିଟ୍ ଯାଏଁ ଏହି ମହାଜାଗତିକ ଦୃଶ୍ୟ ଦେଖିବାର ସୁଯୋଗ କେହି ହାତଛଡ଼ା କରିନଥିଲେ  । ଭାରତ ସମେତ ଏସିଆ, ୟୁରୋପ, ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ବ୍ଳଡ଼ ମୁନ୍ ଦେଖିବାକୁ ମିଳିଛି  ।
ସୂର୍ଯ୍ୟ-ପୃଥିବୀ-ଚନ୍ଦ୍ର ଏକ ସରଳରେଖାରେ ରହିଲେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବା ସହ ବ୍ଳଡ଼ ମୁନ୍ ଦେଖିବାକୁ ମିଳେ  । ଯେଉଁ ସମୟରେ ପୃଥିବୀର ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦିଏ  । ଯାହା ଫଳରେ ସୂର୍ଯ୍ୟକିରଣ ସିଧାସଳଖ ଚନ୍ଦ୍ର ଉପରେ ପଡିପାରେ ନାହିଁ  । ପୃଥିବୀର ବାୟୁମଣ୍ଡଳ ଦେଇ ସୂର୍ଯ୍ୟକିରଣ ସିଧାସଳଖ ନପଡି ବକ୍ର ଆକାରରେ ଚନ୍ଦ୍ର ଉପରେ ପଡିଥାଏ  । ନୀଳ ଏବଂ ବାଇଗଣୀ ରଶ୍ମୀ ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇପଡେ  । ମାତ୍ର ଲାଲ ଏବଂ ନାରଙ୍ଗୀ ରଶ୍ମୀ ଚନ୍ଦ୍ର ଯାଏଁ ଅତିକ୍ରମ କରି ପହଞ୍ଚିଯାଏ  । ଏହି କାରଣରୁ ଆକାଶରେ ଚନ୍ଦ୍ର ଲାଲ୍ ଦିଶେ  ।
ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅନୁସାରେ ରାତି ୯ଟା ୫୮ରେ ଆରମ୍ଭ ହେବାକୁ ଥିବା ବେଳେ ଏହା ରାତି ୧ଟା ୨୬ ମିନିଟରେ ଶେଷ ହେବ  । ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ୩ ଘଣ୍ଟା ୨୮ ମିନିଟ ବୋଲି କୁହାଯାଉଛି  । ତେବେ ଚନ୍ଦ୍ରଗ୍ରହଣର ସର୍ବାଧିକ ପ୍ରଭାବ ରାତି ୧୧ଟା ୧ରୁ ରାତି ୧୨ଟା ୨୨ ମିନିଟ ଯାଏଁ ରହିବ  । ଆଉ ଚନ୍ଦ୍ର ଗ୍ରହଣର ପିକ୍ ସମୟ ୧୧ଟା ୪୨ରେ ହେବ  । ଏହି ସମୟରେ  ବିଶ୍ୱବାସୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିପାରିବେ  । ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦରେ ବ୍ଲଡ୍ ମୁନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା  ।
ସେହିପରି ଓଡ଼ିଶାରେ ବି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି  । କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସ୍ଥାନରେ ଏକ ସମୟରେ ଦେଖିବାକୁ ମିଳିଥିଲା  । ୧୨ଟା ୨୩ରେ ପୂର୍ଣ୍ଣ ଗ୍ରାସ ଗ୍ରହଣ ଶେଷ ହୋଇଥିଲା  । ରାତି ୧ଟା ୩୭ରେ ଗ୍ରହଣ ସର୍ବମୋକ୍ଷ ହୋଇଥିଲା  ।