ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ରାଜ୍ୟ ସରକାର ମଙ୍ଗଳବାର ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଏହି ୫ଜଣ ସଦସ୍ୟ ବିଶିଷ୍ଟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି । ଆୟୋଗଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଅର୍ଥାତ୍ ଆଜିଠୁ ୬ମାସ ପାଇଁ ବୈଧ ରହିବ। ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବେ । ଆଉ ରାଜ୍ୟ ପଂଚମ ଅର୍ଥ ଆୟୋଗଙ୍କ ସୁପାରିଶକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତା’ର ମଧ୍ୟ ସମୀକ୍ଷା କରିବେ ।
ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡା ଥିବାବେଳେ ସଦସ୍ୟ ଭାବେ ଏକ୍ସଆଇଏମବି ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(ଟିଆଇଏସଏସ)ର ଡଃ ବିଭୂପ୍ରସାଦ ନାୟକ ଏବଂ ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡଃ ସତ୍ୟପ୍ରିୟ ରଥଙ୍କୁ ସାମିଲ କରାଯାଇଛି । ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ୬ମାସ ପର୍ଯ୍ୟନ୍ତ ରହିବ । ସଦସ୍ୟ ସଚିବଙ୍କ ବ୍ୟତୀତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆୟୋଗରେ ପୂର୍ଣ୍ଣକାଳୀନ ଅବା ପାର୍ଟଟାଇମ୍ ସେବା ପ୍ରଦାନ କରିପାରିବେ । ସଦସ୍ୟ ସଚିବ ଶ୍ରୀ ରଥ ନିଜର କାର୍ଯ୍ୟ ସହ ଆୟୋଗ ନିମନ୍ତେ ପୂର୍ଣ୍ଣକାଳୀନ ସେବା ଦେବେ । ଆୟୋଗ ଯେଉଁ ସବୁ ସୁପାରିଶ ତାଙ୍କ ରିପୋର୍ଟରେ କରିବେ, ତାହା କେଉଁ ମାନକ ଆଧାରରେ ପ୍ରସ୍ତୁତ କରିଛନ୍ତି ସେ ନେଇ ସରକାରଙ୍କୁ ଅବଗତ କରାଇବେ । ଆୟୋଗ ମୁଖ୍ୟତଃ ରାଜ୍ୟ ଓ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥା ମଧ୍ୟରେ ଟିକସ ଆବଂଟନ, ଦାୟିତ୍ୱ, ରାଜ୍ୟ ଦ୍ୱାରା ସଂଗୃହୀତ ଟୋଲ୍ ଓ ଫି ଆଦି ସମ୍ପର୍କରେ ନିଜର ରିପୋର୍ଟ ଦେବେ । ସେହିପରି ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥା ଦ୍ୱାରା କେଉଁ ସବୁ କ୍ଷେତ୍ରରେ ଟିକସ, ଦାୟିତ୍ୱ, ଟୋଲ ଓ ଫି ନିର୍ଦ୍ଧାରଣ କରାଯିବ ତାହା ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇବେ । ତୃତୀୟ ରାଜ୍ୟର କନସୋଲିଡେଟେଡ୍ ପାଣ୍ଠିରୁ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥାକୁ କେତେ ଅନୁଦାନ ଦିଆଯିବ ତାହା ଆୟୋଗ ସୁପାରିଶ କରିବେ ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
