ତଦନ୍ତ ପରେ ବି ରିପୋର୍ଟ ଶୂନ୍ : ଅଲଟ୍ରାସାଉଣ୍ଡ ରିପୋର୍ଟରେ ହୋଇଥିଲା ତ୍ରୁଟି ଅଭିଯୋଗ
ଧର୍ମଶାଳା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଦିନକୁ ଦିନ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଭିତିଭୂମି ସ୍ଥାପନା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ବିଡ଼ମ୍ବନା ଏଭଳି ସ୍ଥଳେ ଘରୋଇ ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କୁ ମାତ୍ରାରେ ଶୋଷଣ ହେବାକୁ ପଡ଼ୁଛି । ଯାହାକୁ ରୋକିବାରେ ନାଁ ସରକାର ସଫଳ ହେଉଛନ୍ତି ନାଁ ପ୍ରଶାସନ । ଯାହାର ଏକ ମାତ୍ର କାରଣ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦ ପଦବୀରେ ନିୟୋଜିତ ଥିବା ଅଧିକାରୀଙ୍କ ମନମାନି ବୋଲି କୁହାଯାଇଥାଏ । ଯେଉଁ ମାନେକି ସବୁ ଭୁଲ୍କୁ ଠିକ୍ରେ ପରିଣତ କରାଇ ଦେଇଥାନ୍ତି । ଯେଉଁଥିପାଇଁ ଲୋକ ଅଦାଲତରେ ସ୍ୱାସ୍ଥ୍ୟ ବିଭାଗ ଘୋର ବଦନାମ ମୁଣ୍ଡାଉଛି । ନିକଟ ଅତୀତରେ ଧର୍ମଶାଳା ବ୍ଲକ ଅଧିନ ଶାନ୍ତି ବଜାରରେ ଥିବା ଶ୍ରୀ ଜଗନ୍ନାଥ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନାମକ ଘରୋଇ ଡାକ୍ତରଖାନା ବିରୁଦ୍ଧରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପ୍ରଦାନ କରୁଥିବାର ଅଭିଯୋଗ ହୋଇଥିଲା । ତା ୬ା୪ା୨୫ରେ ପୂଜାରାଣୀ ମଳିକ(୩୫) ନାମରେ ଜନୈକା ମହିଳା ପେଟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେବାରୁ ସେ ଶ୍ରୀ ଜଗନ୍ନାଥ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଯାଇଥିଲେ । ସେଠାରେ ଥିବା ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡ଼ାକ୍ତର ବିଶ୍ୱ ରଞ୍ଜନ କର ମହିଳାଙ୍କ ଉପଶମ ନିମନ୍ତେ ଚେକ୍ଅପ୍ କରିଥିଲେ । ଡ଼ାକ୍ତର କରଙ୍କ ପରାମର୍ଶ ଯେ ତୁମର ମାଂସ ପରୀକ୍ଷା ପାଇଁ ଦିଲ୍ଲୀ ଯିବ ରିପୋର୍ଟ ଆସିଲା ପରେ ଯାଇ ଅସ୍ତ୍ରୋପଚାର ହେବ । ମହିଳା ଜଣକ ବ୍ୟସ୍ତ ହୋଇ ପଚାରିବାରୁ ସଙ୍ଗେ ସଙ୍ଗେ ବିନା ଟେଷ୍ଟରେ ଅସ୍ତ୍ରୋପଚାର କରାଇଦେବା କଥା କହି ସେ ବାବଦରେ ଆବଶ୍ୟକ ଅର୍ଥ ଦେବାକୁ ପଡ଼ିବ ବୋଲି କହିଥିଲେ । ଅର୍ଥକଥା ଶୁଣି ମହିଳା ଜଣଙ୍କ ଫେରିଆସିବା ପରେ ଟାଙ୍ଗୀ ପଦ୍ମିନୀ କେୟାର ହସ୍ପିଟାଲକୁ ଯାଇ ଡାକ୍ତର ପରାମର୍ଶ କରିଥିଲେ । ଡାକ୍ତର ପୁନଶ୍ଚ ଅଲଟ୍ରାସାଉଣ୍ଡ କରି ରିପୋର୍ଟ ଦେଖିବା ପରେ ଅପରେସନ ଦରକାର ନଥିବା କଥା କହି ଔଷଦ ଲେଖିଥିଲେ । ମହିଳା ଜଣଙ୍କ ଶ୍ରୀ ଜଗନ୍ନାଥ ହସ୍ପିଟାଲରେ କରିଥିବା ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖାଇବାରେ ଡ଼ାକ୍ତର ରିପୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ନ ଥିବା କହିଥିଲେ । ନୂଆ ରିପୋର୍ଟ ଅନୁଯାଇ ଔଷଧ ସେବନ ପରେ ମହିଳା ଜଣଙ୍କ ଉପଶମ ପାଇବା ପରେ ଆଣିଥିବା ଔଷଧ ଫେରାଇବାକୁ ଯିବାରୁ ଶ୍ରୀ ଜଗନ୍ନାଥ ହସ୍ପିଟାଲ ସଫା ସଫା ମନାକରିଦେଇଥିଲା । ଏହା ରୋଗୀ ପୂଜାରାଣୀଙ୍କ ଥିଲା ଅଭିଯୋଗ । ଏଭଳି ତ୍ରୁଟି ସଂପର୍କରେ ଜାଣିବାପରେ ଧର୍ମଶାଳା ଅଞ୍ଚଳର ସାମାଜିକ କର୍ମୀ ସବ୍ୟସାଚୀ ସାହୁ ତା୧୦ା୪ା୨୫ରେ ପତ୍ର ଦ୍ୱାରା ଯାଜପୁର ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଏହି ପତ୍ରକୁ ତଦନ୍ତ ପାଇଁ ଜିଲାପାଳ କାର୍ଯ୍ୟାଳୟରୁ ଡାଏରୀ ନଂ ୨୬୧୪ରେ ଯାଜପୁର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ/ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ବଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦଶ ଅନୁଯାୟୀ ଶ୍ରୀଯୁକ୍ତ ବଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ୩୦ା୪ା୨୫ ତାରିଖରେ ଶ୍ରୀ ଜଗନ୍ନାଥ ମଲ୍ଟି ସ୍ପେସିଆଲିଟ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା । ହେଲେ ବିଡ଼ମ୍ବନା ତଦନ୍ତକୁ ମାସେ ପୁରିଯାଇଥିଲେ ହେଁ ତଦନ୍ତ ରିପୋର୍ଟ ଅଭିଯୋଗକାରୀ ସବ୍ୟସାଚୀ ସାହୁଙ୍କୁ ଅଦ୍ୟାବଧି ମିଳିନଥିବା ସେ କହିଛନ୍ତି । ଶ୍ରୀ ସାହୁ ଅଭିଯୋଗ କରନ୍ତି ଯେ ସେ ଯେତେ ବେଳେ ତଦନ୍ତ ରିପୋର୍ଟ କାହିଁକି ଦିଆଯାଇନାହିଁ ବୋଲି ବୁଝିବାକୁ ସିଡ଼ିଏମ୍ ଓ କାର୍ଯ୍ୟାଳୟକୁ ଯାଆନ୍ତି, ସେତେବେଳେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ବଳ ତାଙ୍କୁ ଇଆଡ଼ୁ ସିଆଡ଼ୁ କହି ରିପୋର୍ଟ ସଂପର୍କିିତ କଥାକୁ ଏଡ଼େଇ ଯାଇଥାନ୍ତି । ଏମିତି ହେବା ଦ୍ୱାରା ସାମାଜିକ କର୍ମୀଙ୍କ କଣ୍ଠରୋଧ ଓ ଦୁର୍ନୀତିକୁ ପ୍ରଶୟ ଦିଆଯାଉଛି ବୋଲି ଶ୍ରୀ ସାହୁ ଅଭିଯୋଗ ଆଣିଛନ୍ତି । ଘରୋଇ ଡାକ୍ତରଖାନା ପ୍ରତି ସ୍ୱାସ୍ଥ୍ୟ ବିଭାଗର ଦରଦ ପଛରେ କି କାରଣ ରହିଛି, ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।