ହଟୁନି ଅଙ୍ଗନୱାଡି କେନ୍ଦ୍ର ଉପରୁ ବିଦୁ୍ୟତ ତାର

 ବ୍ରହ୍ମବରଦା: ଦୃଷ୍ଟି ଆକର୍ଷଣ ପରେ ଦୃଷ୍ଟି ଆକର୍ଷଣ କରାଯାଉଛି । ଗଣମାଧ୍ୟମରେ ଖବର ପରେ ଖବର ପକାଶ ପାଉଛି । ହେଲେ ବିଦୁ୍ୟତ ବିଭାଗ କି ସମନ୍ୱିତ ଶିଶୁ ବିକାଶ ବିଭାଗର ନିଦ ଭାଙ୍ଗୁନି କି ଅଙ୍ଗନୱାଡ଼ି କେନ୍ଦ୍ର ଉପରେ ଯାଇଥିବା ୧୧କେଭି ତାର ହଟୁନି । ବିଭାଗ ନିଘୋଡ଼ ନିଦରେ ଶୋଇବା କାରଣରୁ ଅଭିଭାବକ ବିପଦ ଆଶଙ୍କାରେ ପିଲା ମାନଙ୍କୁ କେନ୍ଦ୍ରକୁ ଛାଡ଼ୁ ନାହାନ୍ତି । ଫଳରେ କେନ୍ଦ୍ରରେ ତାଲା ପଡ଼ିଥିବା ବେଳେ ଶୈଶବ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଆମେ କହୁଛୁ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ୧୩ ନଂ ୱାର୍ଡ ବେଲଗୁଡି ଗ୍ରାମରେ ଥିବା ୩ ନଂ ଅଙ୍ଗନବାଡ଼ି କେନ୍ଦ୍ରର କଥା ।
 ସୂଚନା ଥାଉକି ବ୍ରହ୍ମବରଦା ପଞ୍ଚାୟତରେ ଥିବା ସର୍ବମୋଟ ୧୪ ଗୋଟି ଅଙ୍ଗନାଡ଼ି କେନ୍ଦ୍ର ମଧ୍ୟରୁ ୩ ନଂ ଅଙ୍ଗନାଡ଼ି କେନ୍ଦ୍ରର ଗୃହକାମ ୨୦୦୬ ମସିହାରୁ ଆରମ୍ଭ ହୋଇ୨୦୧୦ରେ ଶେଷ ହୋଇ ୨୦୧୪ରେ କାର୍ଯ୍ୟକ୍ଷମ ହୋଇଥିଲା ।  ବର୍ତ୍ତମାନ ଏହି କେନ୍ଦ୍ର ଅଧୀନରେ ୩ ରୁ ୬ ବର୍ଷ ମଧ୍ୟରେ ମୋଟ ୨୧ ଜଣ ଶିଶୁ, ୩ ଗର୍ଭବତୀ ମହିଳା, ୫ ପ୍ରସୂତି ମହିଳା ଓ ୨୮ ଜଣ କିଶୋରୀ ରହିଛନ୍ତି । କିନ୍ତୁ ଏଇ କିଛି ଦିନ ହେବ ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଏହା ସହିତ ନିକଟରେ ଥିବା ହାଜିରହିମିଆଁ ବିଦ୍ୟାଳୟ ପରିସରକୁ ଏହା ସ୍ଥାନାନ୍ତରିତ କରାଯାଇଛି । ମାତ୍ର କିଛିଦିନ ପାଇଁ । ନିଜସ୍ୱ ଅଙ୍ଗନୱାଡି କେନ୍ଦ୍ର ଥାଉ ଥାଉ ଏହାର ସ୍ଥାନାନ୍ତରଣ କାରଣ ଆମ୍ଭେ କର୍ମୀ ବାସନ୍ତୀଲତା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ କି ଉକ୍ତ ଅଙ୍ଗନବାଡି କେନ୍ଦ୍ର ଉପର ଖୁବ୍ ନିକଟ ଦେଇ ବିନା କେବୁଲର ୧୧/୩୩ କେଭିର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଯାଇଛି । ବର୍ତ୍ତମାନ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରେ ଅଦିନିଆ କାଳବୈଶାଖୀ ହଠାତ କୌଣସି ମୁହୂର୍ତ୍ତରେ ମାଡିଆସିଲେ ତାର ଛିଣ୍ଡି ଉକ୍ତକେନ୍ଦ୍ର ସଂସ୍ପର୍ଶରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ଦ୍ୱାରା କୁନିକୁନି ନିରୀହ ଶିଶୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି । ତା ଛଡା ବିଗତ ଦିନରେ ଉକ୍ତ ବିଦୁ୍ୟତ୍ ତାର ଉପରେ ଏକ ଗଛ ଉପୁଡ଼ି ପଡ଼ିବା ସହ ଗତ ୧୦ ତାରିଖ ଶୁକ୍ରବାର ଉକ୍ତ କେନ୍ଦ୍ର ଚାଲୁ ରହିଥିବା ସମୟରେ ଏକ ମାଙ୍କଡ଼ ଉଚ୍ଚ କ୍ଷମତା ସମ୍ପନ୍ନ ତାର ସଂସ୍ପର୍ଶରେ ଆସିବାରୁ ଏକ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ମାଙ୍କଡ଼ଟିର ମୃତୁ୍ୟ ଘଟିଥିଲା । ଯାହା ଦ୍ୱାରା ଅଳ୍ପକେ ଆମ୍ଭେ ସମସ୍ତେ ନିଶ୍ଚିତ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲୁ । ତେଣୁ କ୍ଷଣ କ୍ଷଣରେ ବିପଦପୂର୍ଣ୍ଣ ଥିବା ଏପରି ସ୍ଥାନରେ କେନ୍ଦ୍ରକୁ ଚଲେଇବା ଉଚିତ ମନେ ନକରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତା ସହିତ ଉକ୍ତ ୧୧ କେଭି ବିଦୁ୍ୟତ୍ ତାରକୁ ଅପସାରଣ କରିବା ପାଇଁ ପୂର୍ବରୁ ସେ ବିଭାଗ ଓ ବ୍ଲକ ପ୍ରାଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଦୃଷ୍ଟି ଆକର୍ଷଣ ସହ ଅଭିଯୋଗ କରି କରି ବେହାଲ୍ ହେଲେଣି । ହେଲେ କର୍ଣ୍ଣପାତ କରୁନାହାନ୍ତି ।  ଟାଟା ବିଦ୍ୟୁତ୍ ବିଭାଗ ଓ ପ୍ରାଶାସନିକ ସରକାରୀ ଅଧିକାରୀ ମାନଙ୍କ ଏପରି ବେପରୁଆ ମନୋଭାବ ଯୋଗୁ ଜନଅସନ୍ତୋଷ ବଢିବାରେ ଲାଗିଛି ବୋଲି ସେ କହିଛନ୍ତି । କିନ୍ତୁ ଅପରପକ୍ଷେ ୨୦୧୩ ମସିହାରୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତରଫରୁ ନିଦେ୍ର୍ଦଶ ରହିଛି ଯେ ବିଦ୍ୟାଳୟ ଓ ଅଙ୍ଗନୱାଡି ମଧ୍ୟ /ଉପର ଦେଇ ଯାଇଥିବା ସମସ୍ତ ବିଦୁ୍ୟତ୍ ତାର ଅପସାରଣ କରାଯିବା । ଯାହା ଓଡିଶା ସରକାରଙ୍କ ଶକ୍ତି ବିଭାଗ ଦ୍ୱାରା ସୂଚୀତ ପତ୍ର ନଂ ୩୫୨୧/ଇ ଏନ୍ ଭୁବନେଶ୍ୱର ତା୧ା୫ ।୨୦୧୩ ଆର୍ଆଣ୍ଡଆର୍୧୦/୧୩ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଏପରି ନିଦେ୍ର୍ଦଶ ଥିଲେ ମଧ୍ୟ ଏହି ଅଙ୍ଗନବାଡି କେନ୍ଦ୍ର କ୍ଷେତ୍ରରେ ଏପରି ଅନିୟମିତତା ଯାହା ସରକାରୀ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସରକାରୀ ଆଇନକୁ ଖୋଲା ଖୋଲି ଉଲଂଘନ କରୁଛି । ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ଅଙ୍ଗନୱାଡି କେନ୍ଦ୍ର ଉପର ଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ୧୧/୩୩ କେଭି ବିଦୁ୍ୟତ ତାର କାହା ନିଦେ୍ର୍ଦଶରେ ଯାଇଛି । ଯଦି ଯାଇଛି ତାହେଲେ ତାହା ଆଜି ଯାଏ ଏମିତି ଅସୁରକ୍ଷିତ ଭାବେ କେମିତି ରହିଛି ? ତେଣୁ ଏନେଇ ଆମ୍ଭେ ରସୁଲପୁର ସିଡିପିଓ ଜୟନ୍ତୀ ଘଡାଇଙ୍କୁ ପଚାରିବାରୁ ସେ କହିଥିଲେ କି ଉକ୍ତ ବିଦୁ୍ୟତ୍ ତାରକୁ ସୁରକ୍ଷିତ କରିବା ସହ ଏହାର ସ୍ଥାୟୀ ସମାଧାନ କରିବା ପାଇଁ କୁଆଖିଆ ବିଦୁ୍ୟତ୍ ଖଣ୍ଡ ଅଧିକାରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଏହାଛଡା ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଉକ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବା ସହ ଅନ୍ୟତ୍ର ପାଠପଢା ହେବ ବୋଲି ସେ ଆମ୍ଭଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ କୌଣସି ଏକ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ଉକ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ତାରକୁ କେନ୍ଦ୍ର ଉପରୁ ହଟାଇବା କିମ୍ବା କେବୁଲିଙ୍ଗ କରିବା ପାଇ କର୍ମୀଙ୍କ ସମେତ ଗ୍ରାମବାସୀ ବିଦୁ୍ୟତ୍ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ନିକଟରେ ଦାବି କରିଛନ୍ତି ।