ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅର୍ପିତା ସମ୍ବର୍ଦ୍ଧିତ
ସାରସକଣା: ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଶୀର୍ଷା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ସାହୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବକ୍ତୃତାରେ ପ୍ରଥମ ହୋଇଥିବା ହେତୁ ପୁରସ୍କାର ରାଶି ସହିତ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ଓଡିଶା ସରକାରଙ୍କ ଦ୍ୱାରା ପାଣି ପଞ୍ଚାୟତ ପକ୍ଷ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର ଉଦ୍ୟାପନୀ ଦିବସ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆ ବରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇଥିଲେ । ଚାଷୀଙ୍କୁ ପାଣିର ଅପଚୟ ଓ ଅପବ୍ୟବହାର ନ କରି ସହଭାଗୀ ଜଳ ସେଚନ ପରିଚାଳନାରେ ଚାଷ କାର୍ଯ୍ୟକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରିବାକୁ ହେବ ତାହା ଉପସ୍ଥିତ ଥିବା ଚାଷୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ପୂର୍ବରୁ ପାଣି ପଞ୍ଚାୟତ ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇ ରାଜ୍ୟସ୍ତରକୁ ପହଞ୍ଚôଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଶୀର୍ଷା ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅର୍ପିତା ସାହୁ ବକ୍ତୃତା ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଗ୍ରହଣ କରି ରାଜ୍ୟସ୍ତରୀୟ ବକ୍ତୃତା ସମ୍ମାନ ପାଇ ସ୍କୁଲ ସହିତ ଅଞ୍ଚଳର ନାଁକୁ ଗୌରାବାନ୍ୱିତ କରିଥିବାରୁ ଅଞ୍ଚଳବାସୀଙ୍କ ସହିତ ଜାତୀୟ ଯୁବ ପ୍ରକଳ୍ପ ମୟୁରଭଞ୍ଜ ୟୁନିଟ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ସେହିପରି ନିଜ ଝିଅର ସଫଳତା ପାଇଁ ଅର୍ପିତାର ବାପା ଖକନ ସାହୁ ଝିଅର ନିରନ୍ତର ପ୍ରୟାସକୁ ଶ୍ରେୟ ଦେଇଛନ୍ତି ।