ଭିଡ଼ ଜମାଇଲେଣି ଉଠା ଓ ସ୍ଥାୟୀ ଦୋକାନୀ : ସଙ୍କୁଚିତ ହେଉଛି ଦଳା-ଚୋରଦା ବାଇପାସ୍ ରାସ୍ତା 

 ବ୍ୟାସନଗର : ଆଜି ଜଣେ, କାଲି ଦି’ ଜଣ । ଏମିତି କରି ପ୍ରତିଦିନ ଉଠା ଦୋକାନୀ ବସିବା ଆରମ୍ଭ କଲେ ଦଳା-ଚୋରଦା ବାଇପାସ ରାସ୍ତାରେ । ବ୍ୟାସନଗର ପୌରାଞ୍ଚଳର ଏହି ରାସ୍ତାଟି ସବୁଠାରୁ ବ୍ୟସ୍ତ ବହୁଳ । ଡ଼ାକବଙ୍ଗଳା ଛକରୁ ଗୋପବନ୍ଧୁ ଛକକୁ ସଂଯୋଗ କରୁଥିବା ରାସ୍ତାଟି ଗଳି ପୋଲ ନିର୍ମାଣ ପାଇଁ ମାସମାସ ଧରି ଅଚଳ ହୋଇପଡ଼ିଥିବାରୁ ଦଳା-ଚୋରଦା ବାଇପାସ୍ ରାସ୍ତା ଉପରେ ପୁରା ନଗରବାସୀ ନିର୍ଭରଶୀଳ । ଏଥିସହ କଳିଙ୍ଗନଗର ଶିଳ୍ପାଞ୍ଚଳର ସଂଖ୍ୟାଧିକ ଗାଡ଼ି ନିଇତି ବାଇପାସ ରାସ୍ତାଦେଇ ଯିବା ଆସିବା କରିଥାନ୍ତି । ଏହାବାଦ୍ ପାଣିକୋଇଲି ଅଞ୍ଚଳରୁ ପୌରାଞ୍ଚଳ, କେନ୍ଦୁଝର, ଢେଙ୍କାନାଳ, ସୁକିନ୍ଦା ଖଣି ଅଞ୍ଚଳରକୁ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟା ଗାଡ଼ି ବାଇପାସ୍ ରାସ୍ତା ଯିବା ଆସିବା କରିଥାନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରବେଶ ପଥକୁ ବ୍ୟବସାୟୀକ ପେଣ୍ଠସ୍ଥଳ ବ୍ୟାସନଗର ପୈାରାଞ୍ଚଳର ଦଳା-ଚୋରଦା ବାଇପାସ୍କୁ ଧିରେ ଧିରେ କବଳିତ କରିବାରେ ଲାଗିଛନ୍ତି ଉଠା ଦୋକନାନୀ ଓ ସ୍ଥାୟୀ ଦୋକାନୀ । ଜଣେ ପରେ ଜଣେ ବ୍ୟବସାୟୀ ବାଇପାସ ରାସ୍ତାରେ ପସରା ମେଲାଇ ଚାଲିବା ପରେ ଏକାଧିକ ସ୍ଥାୟୀ ପ୍ରତିଷ୍ଠାନ କରି ଦେଲେଣି । ସଂପୃକ୍ତ ରାସ୍ତାରେ ଫଳ ଦୋକାନରୁ ଆରମ୍ଭ କରି ପଇଡ଼, ଲୁହାଲତା, ଜୋତା, ପ୍ୟାଣ୍ଟସାର୍ଟ, ଝାଡ଼ୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପସରା ମେଲାଇଛନ୍ତି ବେପାରୀ । ଯାହା ଫଳରେ ସଂପୃକ୍ତ ରାସ୍ତାରେ ଗ୍ରାହକଙ୍କ ଭିଡ଼ ଜମୁଛି । ସଂଖ୍ୟାଧିକ ଗ୍ରାହକ ସାମଗ୍ରୀ କିଣିବାକୁ ରାସ୍ତା ଉପରେ ଗାଡ଼ି ମୋଟର ରଖିବାରୁ ବାଇପାସ ରାସ୍ତାଟି ସଂକୁଚିତ ହୋଇପଡ଼ୁଛି । ରାସ୍ତା ଉପରେ ଗାଡ଼ି ମୋଟର ରହିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜିବା ସହ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟିବାରେ ଲାଗିଛି । କିନ୍ତୁ ଏଥିପ୍ରତି ପ୍ରଶାସନ କି ପୁଲିସ ବାବୁଙ୍କ ନଜର ପଡୁନି । ପ୍ରତ୍ୟେକ ଦିନ ସରକାରୀ ବାବୁ ଏବଂ ପୁଲିସ ବାବୁ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଏବଂ ଭିଡ଼କୁ ସ୍ୱଚକ୍ଷୁରେ ଦେଖୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ କରୁ ନାହାନ୍ତି । ଯାହା ଫଳରେ ବେପାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଭୟ ନଥିବାରୁ ଏହା ଘଟୁଥିବା ସାଧାରଣରେ କୁହାଯାଉଛି । ତେବେ ପୁଲିସ ଏହା ମୋର କାମ ନୁହଁ କହୁଥିବା ବେଳେ ପ୍ରଶାସନିକ ଅଧିକାରୀ ଏହା ପୈାରପରିଷଦର କାମ ବୋଲି କହୁଛନ୍ତି । ଯଦି ଏହା ପୈାରପରିଷଦର କାର୍ଯ୍ୟ ତେବେ ପୈାର ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ଆଗଭର ହେଉ ନାହାନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଦୃଷ୍ଟି ଦିଆନଗଲେ, ସଂପୂର୍ଣ୍ଣ ବାଇପାସ ରାସ୍ତାଟି ବେପାରୀଙ୍କ ଦ୍ୱାରା କବଳିତ ହୋଇପଡ଼ିିବ ଏହାହିଁ ଆଗକୁ ଦେଖିବାକୁ ମିଳିବ ନିଶ୍ଚିନ୍ତ । ଦେଖିବାର ଅଛି, କେବେ ଆଉ କେଉଁ ଦିନ କାହାର ନଜର ପଡ଼ୁଛି ଦଳା-ଚୋରଦା ବାଇପାସ ଉପରେ ।