ଭୁବନେଶ୍ୱର, : ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା (ଯୁକ୍ତ ଦୁଇ) ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ଏକାଦଶ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ୧୨ ଜୁଲାଇ ୨୦୨୪ ରେ ଶେଷ ହୋଇଛି । ସାମ୍ସ ପୋର୍ଟାଲ ଜରିଆରେ ଅନଲାଇନ୍ ମାଧ୍ୟମରେ ସମୁଦାୟ ୫,୪୮,୩୧୩ ସିଟ୍ ପାଇଁ ୪,୭୬,୦୭୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ ଜୁଲାଇ ୨୦୨୪ ରେ ପ୍ରକାଶ କରାଯିବ ।
ଛାତ୍ରଛାତ୍ରୀମାନେ ମନୋନୀତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ତଥ୍ୟ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ପାଇପାରିବେ । ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ନିଜର ଇଣ୍ଟିମେସନ୍ ଚିଠି (ଔnଟ୍ଟimଚ୍ଚଟ୍ଟiଞ୍ଚn କeଟ୍ଟଟ୍ଟer) ସାମ୍ସ ପୋର୍ଟାଲରୁ ଡାଉନଲୋଡ୍ କରିପାରିବେ । ଏହାପରେ ମନୋନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସନ୍ତା ୨୨ ଜୁଲାଇ ୨୦୨୪ ରୁ ୨୭ ଜୁଲାଇ ୨୦୨୪ ମଧ୍ୟରେ ନାମ ଲେଖାଇ ପାରିବେ ।
ପ୍ରଥମ ମେଧା ତାଲିକା ନାମଲେଖା ପରେ ଯଦି କୌଣସି ପ୍ରାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନିମ୍ନ ପସନ୍ଦରେ ମନୋନୀତ ହୋଇଛନ୍ତି ଏବଂ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ରେ ଆବେଦନ କରାଯାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ପସନ୍ଦରେ ଅଧ୍ୟୟନ କରିବାକୁ ଇଚ୍ଛା କରନ୍ତି, ତେବେ ପ୍ରାର୍ଥୀ ଏକ ସ୍ଲାଇଡ୍ ଅପ୍ ଅନୁରୋଧ ପ୍ରକ୍ରିୟାରେ ୨୨ ଜୁଲାଇ ୨୦୨୪ ରୁ ୩୦ ଜୁଲାଇ ୨୦୨୪ ଯାଏଁ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ପ୍ରଥମ ମେଧା ତାଲିକା ନାମଲେଖା ପରେ ଖାଲି ଥିବା ସିଟ୍କୁ ଧ୍ୟାନରେ ରଖି ଆବେଦନ ଗ୍ରହଣ କରାଯିବ । ଇଚ୍ଛୁକ ପ୍ରାର୍ଥୀ ଷ୍ଟୁଡ଼େଣ୍ଟ୍ ଲଗ୍-ଇନ୍ ଆଇଡ଼ି ମାଧ୍ୟମରେ ଆବେଦନ କରିପାରିବେ । ଏଥିସହିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନାମଲେଖା ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି । ଚଳିତ ବର୍ଷ ଆସନ୍ତା ୧ ଅଗଷ୍ଟ ରୁ ଏକାଦଶ ଶ୍ରେଣୀ ନିମନ୍ତେ ପାଠପଢ଼ା ଆରମ୍ଭ ହେବ ।