ପୋଲ ଅଛି, ଯିବାକୁ ରାସ୍ତା ନାହିଁ
ନୂଆପଡାରୁ ପରମେଶ୍ୱର ବାରିକ : ଲୋକଙ୍କ ସୁବିଧା ହେବ ବୋଲି ନଦୀରେ ପୋଲ ନିର୍ମାଣ କରାଗଲା । କିନ୍ତୁ ଦଶ ବର୍ଷ ବିତି ଗଲାଣି ତଥାପି ରାସ୍ତା ତିଆରି ହେଉନି । ଲୋକେ କାଦୁଅ ଭର୍ତ୍ତି ରାସ୍ତାରେ ଯିବା ଆସିବା କରୁଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ଲକ ନିଜ ଅଧିନରେ ରାସ୍ତା ଆସୁ ନଥିବା କହୁଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲା ଓ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୂଷଲାଡ ଗ୍ରାମ ପଞ୍ଚାୟତର ପଲସଖଣ୍ଡ ଗ୍ରାମ ମଝିରେ ଥିବା ଅର୍ଜୁନ ନଦୀ ଉପରେ ଦୀର୍ଘ ଦିନ ହେବ ବ୍ରିଜ ନିର୍ମାଣ ସରିଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇ ପାରୁନି ।
ପ୍ରଥମେ ଜମି ଅଧିଗ୍ରହଣ ପାଇଁ ରାସ୍ତା ନିର୍ମାଣରେ ବିଳମ୍ବ ହୋଇଥିଲା । ଏବେ କିନ୍ତୁ ସେହି ସମସ୍ୟା ସମାଧାନ ହୋଇଯାଇଛି । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ନିର୍ମାଣ କାମ ଆଗେଇ ପାରୁନି ।୨୦୧୩ ମସିହାରେ ବ୍ରିଜ କାମ ଆରମ୍ଭ ହୋଇ ଗତବର୍ଷ ସମ୍ପୂର୍ଣ ହୋଇଥିଲା କିନ୍ତୁ ରାସ୍ତା କାମ ହେଉ ନଥିବାରୁ ଲୋକେ ବହୁତ୍ ଅସୁବିଧା ଭୋଗ କରନ୍ତି । କିଛି ମାସ ତଳେ ଏହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଅଧା ହୋଇ ବନ୍ଦ ରହିଲା । ବର୍ତ୍ତମାନ ବର୍ଷା ହେଉଥିବାରୁ ରାସ୍ତା ସାରା ପାଣି ଜମିବା ସହ କାଦୁଅ ହୋଇଯାଇଛି । ଏହି ରାସ୍ତା ଦେଇ ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗ୍ରାମବାସୀ ତୁକଲା ଓ ଖଡ଼ିଆଳକୁ ଆସୁଥିବା ବେଳେ ଖଡ଼ିଆଳର ଅନେକ ଗ୍ରାମର ଲୋକେ ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି ଆଦିକୁ ଯାଇଥାନ୍ତି । ବିଶେଷ କରି କଲେଜ୍ ଛାତ୍ର ଛାତ୍ରୀ ପ୍ରତିଦିନ ଯିବା ଆସିବା କରିଥାନ୍ତି । କିନ୍ତୁ କାଦୁଅ ରାସ୍ତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହି ରାସ୍ତା ଟି ପଞ୍ଚାୟତ ସମିତି ଅଧିନରେ ଯାଉଥିବା କହୁଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ, ଅନ୍ୟ ପକ୍ଷରେ ବ୍ରିଜ କାମ କରିଥିବାରୁ ରାସ୍ତା ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କରିବା କଥା ବୋଲି ପଞ୍ଚାୟତ ସମିତି କହିଛି । ଦୁଇ ବିଭାଗର ଖାମ ଖିଆଲି ମନୋବୃତ୍ତି ପାଇଁ ଲୋକେ କଷ୍ଟ ଭୋଗୁଛନ୍ତି । କିଛି ଦିନ ତଳେ ଭୂଷଲାଡ ସରପଞ୍ଚ ଦୀପକ ଛୁରା ନିଜ ଖର୍ଚ୍ଚରେ ପଥର ଗୁଣ୍ଡ ପକାଇ ରାସ୍ତା ସମତୁଲ କରିଥିଲେ କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ଯଥା ପୂର୍ବମ ତଥା ପରମ ହୋଇଯାଇଛି । ଦଶ ବର୍ଷ ହେଲା ପୋଲ କାମ ସରିଛି କିନ୍ତୁ ରାସ୍ତା କାମ ଆଗେଇ ପାରୁନି । ଯାହା ପ୍ରଶାସନର ଅପାରଗତାକୁ ବୁଝାଉଛି । ରାସ୍ତା ଯଦି କରିବାର ନଥିଲା ତାହା ହେଲେ ବ୍ରିଜ କାହିଁକି ନିର୍ମାଣ କରାଗଲା । ପରସ୍ପରକୁ ଦୋଷ ଦେବା ଅପେକ୍ଷା ଏହି ଦୁଇ ବିଭାଗ ଆଗରୁ ସମନ୍ୱୟ ରଖି କାର୍ଯ୍ୟ କରିଥିଲେ ଏମିତି ଅସୁବିଧା ହୋଇ ନଥାନ୍ତା । ଏପଟେ ଅତି ଶୀଘ୍ର ରାସ୍ତା ନିର୍ମାଣ ନହେଲେ ଆନେ୍ଦାଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏନେଇ ନୂଆପଡ଼ା ଜିଲ୍ଲା ପରିଷଦର ମୁଖ୍ୟକାର୍ଯ୍ୟନିର୍ବାହୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ତଦନ୍ତ କରି ଯେଉଁ ବିଭାଗର କାମ ସେହି ବିଭାଗ ଅଧିନରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।