ଉନ୍ନୟନମୂଳକ ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ


 ଘୁ.ଉଦୟଗିରି :  ଘୁ.ଉଦୟଗିରି ଏନ୍ଏସି ସମୀକ୍ଷା ବୈଠକରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଏନ୍ଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କ’ଣ କ’ଣ ଉନ୍ନୟନମୂଳକ କାମ ଚାଲିଛି ତାହାର ସମୀକ୍ଷା କରିଥିଲେ । ବିଶେଷ କରି ବର୍ଷା ପୂର୍ବରୁ ଡ୍ରେନେଜ ବ୍ୟବସ୍ଥା ସୁଧାରିବା, ଆଗାମୀ ୫୦ ବର୍ଷ ପାଇଁ ଲୋକଙ୍କୁ ଯେପରି ୨୪ ଘଣ୍ଟା ଶୁଦ୍ଧ ପାନୀୟ ଜଳ ମିଳିବାରେ ସମସ୍ୟା ରହିବ ନାହିଁ । ତା’ ଉପରେ ଯୋଜନା ପ୍ରସ୍ତୁତ କରିବା, ନଦୀକୁ ସଂଯୋଗ ହୋଇ ଥିବା ଡ୍ରେନକୁ ପରିଷ୍କାର କରି ନଦୀକୁ ଛାଡିବା ଯୋଜନା, ତିନୋଟି ଶ୍ମଶାନକୁ ଆଦର୍ଶ ସ୍ମଶାନରେ ପରିଣତ କରିବା, ବିଭିନ୍ନ ସ୍ଥାନର ଷ୍ଟ୍ରିଟ୍ ଲାଇଟ ସମସ୍ୟାର ସମାଧାନ, ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ପଦବୀ ପୂରଣ ସହିତ ନୂତନ ସ୍ଥାନରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବା, ଅତିରିକ୍ତ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବା, ଘୁ.ଉଦୟଗିରିରୁ ଗୋପାଳପୁର ଏବଂ ପୁରୀ ସରକାରୀ ବସ୍ ଚଳାଚଳ କରିବା, ବନ୍ଦ ରହିଥିବା ବାଲିଗୁଡା କଟକ ସରକାରୀ ବସ ପୁନଃ ଚଳାଚଳ କରିବା, ଆହାର କେନ୍ଦ୍ର ଏବଂ ଉଦ୍ୟାନ ଫ୍ରେସ ସ୍ଥାନାନ୍ତର କରି ବସ୍ଷ୍ଟପ କରିବା ଆଦି ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିଲା । ନୂତନ ସ୍ଥାନରେ ନୂତନ ଏନ୍ଏସି କାର୍ଯ୍ୟାଳୟ ନିର୍ମାଣ କରିବା ଅଧ୍ୟକ୍ଷା ପ୍ରସ୍ତାବ ଦେଇଥିବାବେଳେ ଦଳୀୟ କର୍ମୀମାନେ ଘୁ.ଉଦୟଗିରିକୁ ସବ୍ଡିଭିଜନ ଘୋଷଣା କରିବା ସହିତ ସ୍ୱାସ୍ଥ୍ୟ ସେବା ଗୁରୁତ୍ୱ ଦେବା ପାଇଁ କହିଥିଲେ । ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଉପାଧ୍ୟକ୍ଷ ସନ୍ତୋଷ ବାଘ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ସାଂସଦ ପ୍ରତିନିଧି ପ୍ରିୟବ୍ରତ ସାହୁଙ୍କ ସହିତ ଏନଏସି କାଉନସିଲରଙ୍କ ସହିତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ ।  ମନ୍ତ୍ରୀ ଶ୍ରୀ ମହାପାତ୍ର ବିଏସଏନଏଲ କାର୍ଯ୍ୟାଳୟ ପହଞ୍ଚôବା ପରେ ସେଠାରେ ବିଜେପି ଦଳ ପକ୍ଷରୁ ନଗର ସଭାପତି ଭେଙ୍କେଟେଶ୍ୱର ବେହେରା ଫୁଲତୋଡା ଦେଇ ସ୍ୱାଗତ କରିବା ସହିତ ପଦଯାତ୍ରାରେ ବାହାରି ଗାନ୍ଧୀ ଛକରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ସାଧାରଣ ସଂପାଦକ ମାନଗୋବିନ୍ଦ ପ୍ରଧାନ, ରାମବିଶି ଦିଗାଳ, ଜ୍ଞାନ ଚନ୍ଦ୍ର ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ପ୍ରଶାନ୍ତ ବଗର୍ତ୍ତୀ, ମନୋଜ ମହାପାତ୍ର, ସୁଧାଶୁଂ ଆଚାର୍ଯ୍ୟ, ବିଶୁ ମହାରଣା, ଲକ୍ଷ୍ମଣ ଆଚାର୍ଯ୍ୟ, ପ୍ରଶାନ୍ତ ମୁନି ପ୍ରମୁଖ ଯୋଗ ଦେଇଥିଲେ ।