ମନରେଗା କାମରେ ଦୁର୍ନୀତି, ଗୋଟିଏ ରାସ୍ତାକୁ ୫ ଥର ବିଲ


ାା କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା ।ା

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡି ଖୋଲୁଛି । ଲୋକଙ୍କୁ ଗମନାଗମନ ସେବା ଯୋଗାଇ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି । ଏହି ବ୍ଳକରେ ମନରେଗା ଯୋଜନାରେ ଭିତ୍ତିଭୂମି ବିକାଶ ନାମରେ ସରକାରୀ ବାବୁ ମାନେ ନିଜ ପକେଟ ଗରମ କରିଥିବା ଅଭିଯୋଗ ହୋଇଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏଭଳି ଚିତ୍ର ବ୍ୟାପିଛି ସାରା ବ୍ଲକରେ । ମଲାରପଦା ଗ୍ରାମରେ ଗୋଟିଏ ରାସ୍ତାକୁ ୫ ଥର ଫାଇଲ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି । କରୋନା ମହାମାରୀ ସମୟରେ ଶ୍ରମଜୀବୀଙ୍କୁ କର୍ମନିଯୁକ୍ତ ଦେବା ଆଳରେ ଏହି ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନାରେ କାର୍ଯ୍ୟାଦେଶ କୋର୍ଡ ନମ୍ବର ୨୪୦୩୦୦୫୦୧୪/ଆରସି/୧୦୪୦୫୨୭୮ ରେ ୨୦୧୯-୨୦ ଆର୍ଥିକ ବର୍ଷରେ ମଲାରପଦା ରଙ୍ଗାସାଗର ପୋଖରୀ ଠାରୁ ବୈତରଣୀ ନଦୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୯ ଲକ୍ଷ ୭୨ ହଜାର ୧୪୮ ଟଙ୍କା, କାର୍ଯ୍ୟାଦେଶ କୋର୍ଡ ନମ୍ବର ୨୪୦୩୦୦୫୦୧୪/ଆରସି/୧୦୪୧୨୮୬୨ରେ ୨୦୨୦-୨୧ ଆର୍ଥିକ ବର୍ଷରେ ମଲାରପଦା ଗାଁ ଠାରୁ ଶିବମନ୍ଦିର ରାସ୍ତା ମଲାରପଦା ପର୍ଯ୍ୟନ୍ତ ଉନ୍ନତିକରଣ ପାଇଁ ୯ଲକ୍ଷ ୮୪ ହଜାର ୭୯୨ ଟଙ୍କା, କାର୍ଯ୍ୟାଦେଶ କୋର୍ଡ ନମ୍ବର ୨୪୦୩୦୦୫୦୧୪/ଆରସି/୧୦୪୩୭୩୯୦ରେ ୨୦୨୦-୨୧ ଆର୍ଥିକ ବର୍ଷରେ ମଲାରପଦା ଶିବମନ୍ଦିର ରାସ୍ତାର ଉନ୍ନତିକରଣ ଏବଂ କଲର୍ଭଟ ନିର୍ମାଣ ପାଇଁ ୯ ଲକ୍ଷ ୮୮ ହଜାର ୨୧ ଟଙ୍କା, କାର୍ଯ୍ୟାଦେଶ କୋର୍ଡ ନମ୍ବର ୨୪୦୩୦୦୫୦୧୪/ଆରସି/୧୦୪୮୫୫୩୮୮ ରେ ୨୦୨୧-୨୨ ରେ ମଲାରପଦା ଶିବମନ୍ଦିର ଠାରୁ ବୈତରଣୀ ପୋଲ ମଲାରପଦା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୯ ଲକ୍ଷ ୫୬ ହଜାର ୮୪୭ ଟଙ୍କା, କାର୍ଯ୍ୟାଦେଶ କୋର୍ଡ ନମ୍ବର ୨୪୦୩୦୦୫୦୧୪/ଆରସି/୧୦୪୮୫୩୯୦ ରେ ୨୦୨୧-୨୨ ରେ ମଲାରପଦା ଲକ୍ଷ୍ମୀମଣ୍ଡପ ରାସ୍ତା ଏବଂ ଡ୍ରେନ ନିର୍ମାଣ ପାଇଁ ୭ ଲକ୍ଷ ୫୨ ହଜାର ୧୬୪ ଟଙ୍କା ଖର୍ଚ୍ଚ ହୋଇଛି । ଏହିପରି ଭାବେ ୫ଟି କାମରେ ୪୬ ଲକ୍ଷ ୫୩ ହଜାର ୯୭୨ ଟଙ୍କା ବିଲ ହୋଇଛି । ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଲୋକପାଳ ବୃଷଭ ଚନ୍ଦ୍ର ନାୟକ ଘଟଣାର ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି ।