ଟିକେ ହାଉଲେ ଚାଲ...ରାସ୍ତା ସାରା ଖାଲ... ବରୀ ବିକାଶ ବଖାଣୁଛି ବ୍ରହ୍ମବରଦା-ଗୋଳକୁଣ୍ଡ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା
।। ପ୍ରଭାନ୍ୟୁଜ ।। ବ୍ରହ୍ମବରଦା: ଟିକେ ହାଉଲେ ହାଉଲେ ଚାଲ, ରାସ୍ତା ସାରା ଖାଲି ଖାଲ ହିଁ ଖାଲ । ଆମେ ଏହା କୋଉ ଫିଲ୍ମର ଗୀତ କି ଡାଏଲଗ କଥା କହୁନୁ । ଆମେ କହୁଛୁ ବରୀ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରୁ ବରୀ ବ୍ଲକ ଗୋଳକୁଣ୍ଡ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାର ଦୁର୍ଦ୍ଦଶା କଥା । ରାସ୍ତା ନୁହେଁ ତ ମରଣଯନ୍ତା ପାଲଟିଛି କହିଲେ ଚଳେ । ରାସ୍ତା ସାରା ଖାଳଖମାରେ ଭର୍ତ୍ତି ହୋଇଥିବା ବେଳେ ଗଡ଼ିଆ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଉକ୍ତ ନଦୀବନ୍ଧ ରାସ୍ତାର ପରିସ୍ଥିତି ଏବେ ଏମିତି ଯେ ସାଇକଲ, ଗାଡି ମୋଟର ଯୋଗେ ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବା ବି ବହୁ ମୁସକିଲ ହୋଇପଡିଛି । ଫଳରେ୧୦ଗୋଟି ପଞ୍ଚାୟତର ଲକ୍ଷାଧିକ ଲୋକ ଦୈନିକ ଉକ୍ତ ରାସ୍ତା ଦେଇ ଯିବାଆସିବା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାସହ ରାସ୍ତା ଗାଢ଼ରେ ପଡି ଦୈନିକ ଖଣ୍ଡିଆ ଖାବରା ହେଉଛନ୍ତି । ଗୋଟିଏ ପଟେ ନଦୀକୂଳିଆବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଦୁର୍ବଳ ନଦୀବନ୍ଧ ରାସ୍ତାକୁ ସୁଦୃଢ ଓ ପ୍ରଶସ୍ତି କରଣ କରିବାର ଅହରହ ଉଦ୍ୟମ ଚଳାଇଛନ୍ତି । ନଦୀବନ୍ଧ ରାସ୍ତାକୁ ପିଚୁ କରିବା ସହିତ କେଉଁଠି ନଦୀକୂଳ ପାର୍ଶ୍ୱରେ କଙ୍କ୍ରିଟ ପାଚେରୀ ତ କୋଉଠି ପଥର ପ୍ୟାକିଂ କରିବାର ବ୍ୟବସ୍ଥା କରୁଛନ୍ତି । ଆଉ ଏଥି ସକାଶେ କୋଟିକୋଟି ଟଙ୍କାର ଅର୍ଥ ବିନିଯୋଗ ମଧ୍ୟ କରୁଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଏତେ ସବୁ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମିଲିଭଗତରେ କେଉଁଠି ନଦୀବନ୍ଧ ରାସ୍ତା କାମ ନିମ୍ନମାନର ହେଉଛିତ କେଉଁଠି ରାସ୍ତା କାମ ଅଧପନ୍ତରିଆ ହୋଇ ବର୍ଷବର୍ଷ ଧରି ଏମିତି ପଡିରହୁଛି । ଫଳରେ ସାଧାରଣ ଜନତା ଶୁନଦଣ୍ଡ ଭୋଗୁଛନ୍ତି ।
ଗୋଟିଏ ପଟେ ସରକାର ବରୀର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟ ପଟେ ଏହି ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ବରୀ ବିକାଶକୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ସୂଚନା ଅନୁଯାୟୀ ନାବାଡ଼ର ସହାୟତାରେ ୨୦୨୦ ଓ ୨୦୨୧ ଆର୍ôଥକ ବର୍ଷରେ ବ୍ରହ୍ମବରଦା ବ୍ରାହ୍ମଣୀ ନଦୀବନ୍ଧ ନିକଟରୁ ଗୋଳକୁଣ୍ଡ ଦେଇ ରୁଦ୍ରପୁର ପୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତ ଓ ସୁଦୃଢୀକରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୭ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଥିଲା । ପରେ ୨୦୨୧ମସିହାରୁ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା । କିନ୍ତୁ ରାସ୍ତା କାମ ଆରମ୍ଭ ହେବାର ଇତି ମଧ୍ୟରେ ୩ବର୍ଷ ହୋଇ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରିବାର ନାଁ ଧରୁନି । ଏହା ବ୍ୟତୀତ ଏହି ନଦୀବନ୍ଧ ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲା । ମାଟି ବଦଳରେ ବାଲି ଓ ଚିପ୍ସ ବଦଳରେ ବଜୁରି ଗୁଣ୍ଡ ପଡି କାମ ହୋଇଥିଲା । ତା ଛଡା ବନ୍ଧରାସ୍ତା ଉପରେ ଯେଉଁ ପରିମାଣର ଚିପ୍ସ କି ମେଣ୍ଟାଲ ପଡ଼ିବା କଥା ତାହା ନ ପଡ଼ି କମ ପରିମାଣର ଚିପ୍ସ ପଡ଼ିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ବ୍ରହ୍ମବରଦା ଗ୍ରାମବାସୀ କରିଥିଲେ । କିନ୍ତୁ ସେ ସମୟରେ ବରୀ ଜଳ ସମ୍ପଦ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସି ଉନ୍ନତ ମାନର କାମ ହେଉଥିବା ନେଇ ସଫେଇ ଦେଇଥିଲେ । କିନ୍ତୁ ସେହି ଅଧିକାରୀ ମାନଙ୍କ କଥାରେ କେତେ ଯେ ସତ୍ୟତା ଅଛି ତାହା ଏବେ ନଦୀବନ୍ଧ ରାସ୍ତାକୁ ଦେଖିଲେ ହିଁ ବୁଝାପଡୁଛି । କାରଣ ବ୍ରହ୍ମବରଦା, ସାହାପଡ଼ା, ବନ୍ଧଡିଅ ଛକ, ଗୋଲକୁଣ୍ଡ ଓ କାଣ୍ଡିସାହି ଦେଇ ଯାଇଥିବା ଉକ୍ତ ନଦୀବନ୍ଧ ରାସ୍ତାର ଅସଂଖ୍ୟ ଗାଢ଼କୁ ଆଖିରେ ଦେଖିଲେ ହିଁ ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଚୋରାପୀରତି ଯୋଗୁ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବାର ଗ୍ରାମ ବାସୀ ମାନେ ଅଭିଯୋଗ ଆଣିଛନ୍ତି । ତା ଛଡା ଏବେ ବର୍ଷାଋତୁ ଚାଲିଛି । ପୁଣି ଆଗକୁ ଲଘୁଚାପ ବର୍ଷା । ବର୍ଷା ବଢିଲେ ନଦୀରେ ପାଣି ଆସିବାର ସମ୍ଭାବନା ଅଛି । ପାଣି ବଢିଲେ ଉକ୍ତ ନଦୀବନ୍ଧ ପ୍ରତି ବିପଦ ଆଶଙ୍କା ମଧ୍ୟ ରହିଛି । କାରଣ୨୦୨୦ମସିହାରେ ଉକ୍ତ ନଦୀବନ୍ଧର ବନ୍ଧଢିଅ ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇ ସମଗ୍ର ଗ୍ରାମ ଜଳମଗ୍ନ ହେବା ସହ ବହୁ ଧନଜୀବନ ହାନି ଘଟିଥିଲା । ଗୋଳକୁଣ୍ଡ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ବରୀ ବିକାଶ କେତେ ତାହା ବଖାଣୁଥିବା ବେଳେ ବାକିଥିବା ଉକ୍ତ ନଦୀବନ୍ଧ ରାସ୍ତା କାମକୁ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଜଳସମ୍ପଦ ବିଭାଗ ନିକଟରେ ଦାବି କରିଛନ୍ତି । ତାହା ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଭିଜିଲାନ୍ସ ଓ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।