ଜବରଦଖଲରେ ରାସ୍ତା, ମୁକ୍ତ କରିବାକୁ ଦାବି
କେନ୍ଦ୍ରାପଡାରୁ ରବି ନାରାୟଣ ପତି : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ପାଟଳିପଙ୍କ ପଞ୍ଚାୟତର ୧୩ ଓ ୧୪ନଂ ୱାର୍ଡର ବାସିନ୍ଦା ମାନେ ସେମାନଙ୍କ ଗାଁ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ଏହି ୱାର୍ଡର କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜର ଗୃହପାଳିତ ପଶୁ ମାନଙ୍କୁ ଉକ୍ତ ରାସ୍ତାରେ ଖୁଣ୍ଟ ପୋତି ବାନ୍ଧୁ ଥିବାରୁ ଗ୍ରାମ ମଧ୍ୟକୁ ଅଗ୍ନିଶମ ବିଭାଗ ଗାଡି, ଆମ୍ବୁଲାନ୍ସ, ସ୍କୁଲ ଗାଡି ଆଦୈା ଯାଇପାରୁ ନାହିଁ । ଗୃହପାଳିତ ପଶୁ ମାନଙ୍କ ପାଇଁ ଗାଁ ରାସ୍ତା ସବୁବେଳେ କାଦୁଅ ରହିବା ସହ ଦୁର୍ଗନ୍ଧ ହୋଇ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାକୁ ଜବରଦଖଲ ମୁକ୍ତ କରି ଗ୍ରାମରେ ଶାନ୍ତି ବାତାବରଣ ବଜାୟ ରଖିବା ପାଇଁ ଗାଁର ମାମିନା ମଲିକ, ଝରଣା ମଲିକ, ଶୁଭ୍ରାଂଶୁ ମଲିକ, ବଳରାମ ମଲିକ, ସିଦେ୍ଧଶ୍ୱର ମଲିକ, ପ୍ରଶାନ୍ତ ମଲିକ ପ୍ରମୁଖ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ।