ଜିଲ୍ଲାସ୍ତରୀୟ ବିକାଶ ମେଳା : ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର: ସୂରଜ
କେନ୍ଦ୍ରପଡ଼ା : ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଉପଲବ୍ଧିକୁ ଲୋକଙ୍କ ପାଖକୁ ପହଁଞ୍ଚାଇବା ଉଦେ୍ଦଶ୍ୟ ନେଇ ଗତ ୧୨ ତାରିଖ ଠାରୁ ଆୟୋଜିତ ହେଉଥିବା ବିକାଶ ମେଳା କାର୍ଯ୍ୟକ୍ରମର ଶେଷ ଦିନରେ ଜିଲ୍ଲା ପ୍ରଭାରୀ ତଥା ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ମାଉସୀମା ମନ୍ଦିରରେ ନିକଟରେ ଆୟୋଜିତ ହେଉଥିବା ବିକାଶ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡି. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମଞ୍ଚାସୀନ ଥିଲେ । କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ଓଡିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ପରେ ବିକାଶ ମେଳା ଜରିଆରେ ଲୋକଙ୍କ ପାଖକୁ ସଫଳତାର ଉପଲବ୍ଧି ଜଣେଇବାକୁ ଆସିଥିବା ମନ୍ତ୍ରୀ କହିଛନ୍ତି । ଡବଲ ଇଞ୍ଜିନ ସରକାର ଯାହା ପ୍ରତିଶୃତି ଦେଇଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି । ବିକଶିତ ଭାରତ ଓ ବିକଶିତ ଓଡିଶା ଲକ୍ଷ୍ୟକୁ ପୁରଣ କରିବାପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, ସାଂସ୍କୃତିକ ପର୍ଯ୍ୟଟନର ବିକାଶ, ଅତ୍ୟାଧୂନିକ ଖେଳ ପଡିଆ, ଜାତୀୟ ଶିକ୍ଷା ନୀତି ସମେତ ଅନ୍ୟ ସମସ୍ତ କ୍ଷେତ୍ରର ବିକାଶ ନିମନ୍ତେ ଓଡିଶା ସରକାର କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଆପଣ ମାନଙ୍କ ବିଶ୍ୱାସ ଓ ଆଶୀର୍ବାଦ ଥାଉ । ଆମ ସରକାର କଥା ଦେଇ କଥା ରଖି ଲୋକଙ୍କ ହିତପାଇଁ କାମ କରେ । ଶେଷରେ ମନ୍ତ୍ରୀ ଅନ୍ତ୍ୟେଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିବା କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, କିଶୋର କୁମାର ପଣ୍ଡା, ଅଭିମନୁ୍ୟ ଗୋଛାୟତ, ଉପୀନ ରାଉତ, ଅମିତାଭ ସୁଆରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।