ନିର୍ମାଣ ଆରମ୍ଭରୁ ବିଭ୍ରାଟ, ବେପରୁଆ ଭାବେ ଚାଲିଛି ଗ୍ରାମ୍ୟ ଉନ୍ନୟନ ରାସ୍ତା
ଖଇରା: ବାଲେଶ୍ୱର ଜିଲ୍ଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଭଞ୍ଜପଦା ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ ଆରମ୍ଭ ହୋଇଛି । ତେବେ ରାସ୍ତା ନିର୍ମାଣକୁ ନେଇ ରାସ୍ତା ସଂଲଗ୍ନ ଗ୍ରାମ ଗୁଡିକର ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ରାସ୍ତାର ସ୍ଥାୟିତ୍ୱ ନେଇ ସାରକୋଣା, ବିଦ୍ୟାଧରପୁର ଶାସନ, ମୁକ୍ତାବେଗୁନିଆ, କେନ୍ଦୁଭଦଳୀ, ଭଞ୍ଜପଦା ଗ୍ରାମର ଲୋକେ ପ୍ରଶ୍ନ ଉଠାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଶୋଚନୀୟ ରାସ୍ତାର ପୁନନିର୍ମାଣ ପାଇଁ ବାରମ୍ବାର ଦାବି ପରେ ୪କିମି ୩ଶହ ମିଟର ରାସ୍ତା ନିର୍ମାଣ ପାଇଁ ଆନୁମାନିକ ୪କୋଟି ୭୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେବେ ଏବେ କିଛି ଦିନ ତଳେ ଭଞ୍ଜପଦା ଗ୍ରାମ ନିକଟରୁ ଆରମ୍ଭ ହୋଇଛି । ହେଲେ ରାସ୍ତା ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ନିମ୍ନ ମାନର ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ରାସ୍ତାର ୨ପାଶ୍ୱର୍କୁ ପ୍ରଶସ୍ତୀକରଣ କରାଯାଉଥିବା ବେଳେ ଏହା ଏଷ୍ଟିମେଟ ଅନୁଯାୟୀ କରାଯାଉନଥିବା ନେଇ ବହୁ ଗ୍ରାମବାସୀ ଆପତ୍ତି ଉଠାଇଛନ୍ତି । ସେହିଭଳି ମୁକ୍ତାବେଗୁନିଆ ନିକଟରେ ଚାଲିଥିବା ଡ୍ରେନକାମରେ ମଧ୍ୟ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଆର୍ଡି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାରଙ୍କୁ ଯୋଗାଯୋଗ କରିବାରେ ଖୁବଶୀଘ୍ର ରାସ୍ତା ପରିଦର୍ଶନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ରାସ୍ତାକୁ ଯିବେ ବୋଲି କହିଛନ୍ତି ।