ପାର୍ବଣ ପୂର୍ବରୁ ରାସ୍ତା ଘାଟ  ମରାମତି କରିବାକୁ ଦାବି


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ପାର୍ବଣ ପୂର୍ବରୁ ସମସ୍ତ ରାସ୍ତାଘାଟ ଗମନାଗମନ ଉପଯୋଗି କରିବାକୁ ଜିଲା ଉପଭୋକ୍ତା ସମିତି ପକ୍ଷରୁ ଜିଲାପାଳଙ୍କୁ ଦାବି କରାଯାଇଛି । ସମିତିର ସଭାପତି ଦିଗମ୍ବର କର, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକଙ୍କ ନେତୃତ୍ତ୍ୱରେ ସଭ୍ୟଙ୍କ ସହ ଅଞ୍ଚଳର ବୁଦ୍ଧିଜୀବୀ ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ସମିତି ପକ୍ଷରୁ କୁହାଯାଇଛି କି କ୍ଷମତା ଠାରୁ ଅଧିକ ଓଜନିଆ ଭାରୀ ଯାନ ଏବଂ ନିମ୍ନମାନର ନିର୍ମାଣ ଶୈଳୀ ଯୋଗୁଁ ଯାଜପୁର ଜିଲା ସଦରମହକୁମା ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏବେ ସମ୍ପୂର୍ଣ୍ଣ ଗମନାଗମନ ଅନୁପଯୋଗି ହୋଇପଡିଛି । ବିଶେଷ କରି କୁଆଖିଆ ଯାଜପୁର ଭାୟା ବରୁଆଁ, ଷଠିପୁର-ଯାଜପୁର, ଗାନ୍ଧିଛକ-ଛତାବର ଭାୟା ବଳିଘାଇ, ଯାଜପୁର ଟାଉନ୍ ଗରିଆପୁର ଛକଠାରୁ କପାସି, କିଆନାଳୀ ଠାରୁ ବଲ୍ଲଭିଘାଟ ଭାୟା ଗରିଆପୁର ଛକ, ଗାନ୍ଧି ଛକ ବଲ୍ଲଭିଘାଟ ଛକ ଭାୟା ବଡ଼ବଜାର, ବୈତରଣୀ ଦକ୍ଷିଣ ପାର୍ଶ୍ୱନଦୀ ବନ୍ଧରେ ମାତ୍ର କିଛି ମାସ ପୂର୍ବେ କିଆନାଳୀରୁ ସୁନ୍ଦରେଇ ମୁହଁ ପର୍ଯ୍ୟନ୍ତ ବିରଜା ରିଂ-ରୋଡ଼, ରେଡକ୍ରସ ଛକ ଠାରୁ ଯୋଡିକୂଅ ଛକ ଏବଂ କୁଆଁସରପୁର ଛକ ଭାୟା ମହାବୀର ଛକ ସମେତ ସହରର ଅଧିକାଂଶ ମୁଖ୍ୟ ରାସ୍ତା ଭାଙ୍ଗିରୁଜି ଗଲାଣି । ସଦ୍ୟ ଭାବେ ନିର୍ମିତ ଅତ୍ୟନ୍ତ ବ୍ୟସ୍ତ ବହୁଳ ହୋଇ ଥିବା ମୁଖ୍ୟ କେନାଲ ବନ୍ଧର ଦକ୍ଷିଣ ପାର୍ଶ୍ୱର ମାନସାପୋଲ-ବୈଦ୍ୟରାଜପୁର ଛକ ଏବଂ ବାମ ପାର୍ଶ୍ୱର ବୈଦ୍ୟରାଜପୁର ଛକ ଠାରୁ ଅଠରନଳା ଯାଏଁ ରାସ୍ତା ଆଉ ଯାତାୟାତ ଉପଯୋଗୀ ହୋଇ ରହିନାହିଁ । ଯାଜପୁର ପୂର୍ତ୍ତ ସବଡିଭିଜନ ଅନ୍ତର୍ଗତ ଏହି ସବୁ ରାସ୍ତା ଗୁଡିକୁ ସଠିକ୍ ଓ ସଶକ୍ତ ଭାବେ ନିର୍ମାଣ କରାଯାଇନଥିବା ଯୋଗୁଁ ଜନସାଧାରଣଙ୍କ କୋଟି କୋଟି ଟଙ୍କାର ଟିକସ ଅର୍ଥରେ ନିର୍ମିତ ରାସ୍ତା ଆଜି ଚଳାଚଳ ଅନୁପଯୁକ୍ତ ହୋଇଛି । ଖାଲଖମା ଯୋଗୁଁ ଦୁର୍ଘଟଣା ଘଟୁଛି ଓ ଯାତାୟାତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଏଥିସହିତ ଭଙ୍ଗା ରାସ୍ତାର ଧୂଳି ଉଡ଼ି ପରିବେଷ ମଧ୍ୟ ପ୍ରଭାବିତ ହୋଇଛି । ରାସ୍ତା ଓ ସେତୁ ଗୁଡିକ ଶୀଘ୍ର ଭାଙ୍ଗିରୁଜି ଯିବାର ପ୍ରମୁଖ କାରଣ ମଧ୍ୟରେ ୬୦/୭୦ଟନ୍ ବିଶିଷ୍ଟ ପାଣିମିଶା ବାଲି ପରିବହନ ହିଁ ବିଶେଷ ଭାବେ ଦାୟୀ । ଦୁର୍ଗାପୂଜା ପୂର୍ବରୁ ସମସ୍ତ ରାସ୍ତାକୁ ମରାମତି କରିବା ସହିତ ଅତ୍ୟଧିକ ଓଜନ ବିଶିଷ୍ଟ ଯାନଗୁଡିକ ଯାଜପୁର ସହର ପରିବର୍ତନ କୁଆଖିଆ ବାଟେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଭଦ୍ରକ ଦିଗକୁ ଯିବାପାଇଁ ଜିଲାପାଳଙ୍କୁ ସମିତି ପକ୍ଷରୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।