ସମ୍ବିତଙ୍କ ଉପରେ ମୋଦି ଖପ୍ପା

sambit patra narendra modi

ସମ୍ବିତଙ୍କ ଉପରେ ମୋଦି ଖପ୍ପା

ଭୁବନେଶ୍ୱର : ଦେଶର ଜଣେ ବିବାଦୀୟ ମୁଖପାତ୍ର ହେଉଛନ୍ତି ସମ୍ବିତ ପାତ୍ର  । ତେଲ ମାରିବାକୁ ଯାଇ ସେ ଏଭଳି ବକ୍ତବ୍ୟ ଦିଅନ୍ତି ଯାହାକି ସବୁବେଳେ ଚର୍ଚ୍ଚାରେ ରହିଥାଏ  । ନିକଟରେ ସେ ମୋଦିଙ୍କ ଭକ୍ତ ଜଗନ୍ନାଥ ବୋଲି କହି ବିବାଦରେ ଛନ୍ଦି ହୋଇଯାଇଛନ୍ତି  । ଗୋଟିଏ ପଟେ ବିଜେପି ଓଡ଼ିଆ ଅସ୍ମିତାର କଥା କହି ଝଡ଼ ସୃଷ୍ଟି କରୁଥିବାବେଳେ ସମ୍ବିତଙ୍କ ଏଭଳି ବିବୃତ୍ତି ପୂରା ଦଳକୁ ଲଜ୍ଜିତ କରିଛି  । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମ୍ବିତଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି  । କହିବା ବେଳେ ବାକ ସଂଯମତା ରଖିବାକୁ ବି ତାଙ୍କୁ ତାଗିଦ୍‌ କରାଯାଇଥିବା ଜାଣିବାକୁ ମିଳିଛି  ।  

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ ସମ୍ବିତଙ୍କ ପାଇଁ ରୋଡ଼ଶୋ’ କରିଥିଲେ  । ରୋଡ଼ଶୋ’ ପରେ ଉତ୍ସାହିତ ସମ୍ବିତ ମୋଦିଙ୍କ ଭକ୍ତ ଜଗନ୍ନାଥ ବୋଲି କହିଥିଲେ  । ଏହାକୁ ନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା ବି କରାଯାଇଥିଲା  । କିନ୍ତୁ ସେ ଗତକାଲି ଭୁଲ ମାଗିନଥିଲେ  । ଆଜି ଏଥିପାଇଁ ଭୁଲ ମାଗିବା ସହ ପ୍ରାୟଶ୍ଚିତ ପାଇଁ ତିନି ଦିନ ଉପବାସ କରିବେ ବୋଲି କହିଛନ୍ତି  । ଯାହାକୁ ଗୋଇଠା ମାରି ବିଷ୍ଣୁ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ସମାଲୋଚନା କରିଛନ୍ତି  । ସମ୍ବିତଙ୍କ ଏହି ପଦିଏ କଥା ଏବେ ଦଳକୁ ଅକଳରେ ପକାଇଦେଇଛି  । ସେ ଭୁଲ ମାଗିଥିଲେବି ତାଙ୍କ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି  । କଂଗ୍ରେସ ନେତା ତାଙ୍କୁ ଗୋବରା ପାତ୍ର ବୋଲି କହି ସମାଲୋଚନା ବି କରିଛନ୍ତି  । ଏହାକୁ ନେଇ ସମ୍ବିତଙ୍କୁ ମଧ୍ୟ ଦଳ ପକ୍ଷରୁ ତାଗିଦ୍‌ କରାଯାଇଛି  ।