SCB ମେଡିକାଲର ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲୁଛି ସାଲାଇନ
କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ କେଉଁଠି ବିଦ୍ୟୁତ ମେନ ସୁଇଚ୍ ବକ୍ସରେ ସାଲାଇନ ବୋତଲ ଝୁଲାଯାଇଛି ତ ଆଉ କେଉଁଠି କବାଟ ଓ ଝରକାରେ ଝୁଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏପରିକି ଯେଉଁଠି ସାଲାଇନ ଷ୍ଟାଣ୍ଡ ରହିଛି ସେଠି ଗୋଟିଏ ଷ୍ଟାଣ୍ଡରେ ୩ ରୋଗୀଙ୍କ ସାଲାଇନ ବୋତଲ ଝୁଲାଯାଉଛି। ମେଡିକାଲକୁ ରୋଗୀ ସୁସ୍ଥ ହେବାକୁ ଆସୁଥିବାବେଳେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସାଲାଇନ ବୋତଲ ଝୁଲାଇ ଚିକିତ୍ସା କରିବା ଯେପରି ରୋଗୀଙ୍କୁ ବିପଦ ଆଡକୁ ମେଡିକାଲ କର୍ତ୍ତୃପକ୍ଷ ଠେଲି ଦେଉଥିବା ଅନୁଭବ ହେଉଛି। ସେହିପରି ୱାର୍ଡରେ ରୋଗୀଙ୍କ ବେଡ୍ ନ ମିଳିବା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ବେଡ୍ ନ ମିଳିବା ଫଳରେ ରୋଗୀ ୱାର୍ଡ ପରିସର, ଶିଡି କଡରେ ଚଟାଣରେ ଶୋଇ ରହୁଛନ୍ତି। ଏହାସହ ୱାର୍ଡରେ ଥିବା ଶୌଚାଳୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି ଏବଂ ଏହା ଠିକ୍ ଭାବେ ସଫା କରାଯାଉ ନାହିଁ। ଫଳରେ ପ୍ରବେଶ ଦ୍ୱାରାଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସବୁଠି ଦୁର୍ଗନ୍ଧରେ ଫାଟି ପଡୁଛି। ଏଭଳି ପରିବେଶରେ ରୋଗୀ ସମ୍ପର୍କୀୟଙ୍କୁ ଅସୁସ୍ଥ ହେବାର ଭୟ ଘାରୁଛି। ସୂଚନା ଅନୁଯାୟୀ, ଏସ୍ସିବିର ନୂତନ ଭେଷଜ ବିଭାଗ ବା ନ୍ୟୁ ମେଡିସିନି ବିଭାଗ ଚତୃର୍ଥ ମହଲା ବିଶିଷ୍ଠ ରହିଛି। ୱାର୍ଡର ପ୍ରଥମ ମହଲା ଆଇସିୟୁ ଥିବାବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲା ରୋଗୀଙ୍କ ପାଇଁ ୱାର୍ଡର ବ୍ୟବସ୍ଥା ରହିଛି। ଏଠାରେ ଆଇସିୟୁ ଓ ୱାର୍ଡକୁ ମିଶାଇ ପ୍ରାୟ ୧୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ହେଲେ ଭେଷଜ ବିଭାଗକୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସୁଥିବାବେଳେ ଏହା ସମୂଦ୍ରକୁ ଶଙ୍ଖେ ସହ ସମାନ। ମେଡିକାଲରେ ଚିକିତ୍ସା ଜାରି ରହିଥିବା ପାରାଦ୍ୱୀପ ଅଞ୍ଚଳର ନରେନ ମଣ୍ଡଳ, କଳାହାଣ୍ଡି ଲାଞ୍ଜିଗଡ ଅଞ୍ଚଳର ଚିତ୍ତରଞ୍ଜନ ପେସେନିଆଙ୍କ ସମେତ ଅନକେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏସ୍ସିବି ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଶଯ୍ୟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଥିବାବେଳେ ଏହା କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଛି।