୩ ବଙ୍ଗୀୟ ପର୍ଯ୍ୟଟକ ସମୁଦ୍ରରେ ଭାସିଗଲେ

ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ମଙ୍ଗଳବାରଠୁ ବୁଧବାର ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏଭଳିସ୍ଥିତିରେ ସମୁଦ୍ର ଉତ୍ତାଳ ଥିବାବେଳେ ପର୍ଯ୍ୟଟକଙ୍କୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି l ହେଲେ ଅମାନିଆ ପର୍ଯ୍ୟଟକ ସମୁଦ୍ର କଟକଣାକୁ ବେଖାତିର କରି ସମୁଦ୍ର ଭିତରକୁ ଯାଇ ଭାସିଯାଉଥିବାର ଖବର ହସ୍ତଗତ ହେବାରେ ଲାଗିଛି। ବୁଧବାର ସକାଳେ ପଶ୍ଚିମବଙ୍ଗ ଦୀଘା ନିକଟସ୍ଥ ମନ୍ଦାରମଣଧି ସମୁଦ୍ରକୂଳକୁ ଗାଧୋଇବାକୁ ଯାଇଥିବା ପଶ୍ଚିମବଙ୍ଗ ବାରାସାତ ଅଞ୍ଚଳର ୩ ବନ୍ଧୁ ସମୁଦ୍ରର ଜୁଆରରେ ଭାସିଯାଇଥିଲେ। ସେମାନେ ଭାସିଯାଉଥିବାର ଦେଖି ସିଭିଲ ଭଲଣ୍ଟିଆରମାନେ ଏକ ସ୍ପିଡ୍‌ ବୋଟ୍‌ରେ ୨ ଜଣକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଜଣେ ପର୍ଯ୍ୟଟକଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରାଯାଇଛି। ସୂଚନାନୁଯାୟୀ, ଗତ ୧୬ ତାରିଖରେ ବି ଏହି ସମୁଦ୍ରକୂଳରେ ୫ ଜଣ ବଙ୍ଗୀୟ ପର୍ଯ୍ୟଟକ ଭାସି ଯାଉଥିବାବେଳେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଅନ୍ୟ ଜଣେ ସମୁଦ୍ରଗର୍ଭରେ ଲୀନ ହୋଇଥିଲେ l ନିକଟରେ ଓଡ଼ିଶାର ଉଦୟପୁର ବେଳାଭୂମିରେ ଜଣେ ଓଡ଼ିଆ ମହିଳା ସହିତ ୨ ବଙ୍ଗୀୟ ପର୍ଯ୍ୟଟକଙ୍କ ସଲିଳ ସମାଧି ହୋଇଥିବା ତାଳସାରୀ ମେରାଇନ ଥାନାରେ ଅଭିଯୋଗ ନ ହେବା ଘଟଣା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି l