ଜନ୍ମବେଦୀରେ ଶ୍ରୀଜୀଉ : ଆଜିଠୁ ମିଳିବ ଆଡ଼ପ ଅବଢ଼ା

ଜନ୍ମବେଦୀରେ ଶ୍ରୀଜୀଉ  : ଆଜିଠୁ ମିଳିବ ଆଡ଼ପ ଅବଢ଼ା

 ପୁରୀ: ଆଡ଼ପମଣ୍ଡପରେ ବିରାଜିଲେ ଚତୁର୍ଦ୍ଧାମୂରତି । ନବ ଦିନାତ୍ମକ ଯାତ୍ରାରେ ଆସି ରଥରେ ଦୁଇଦିନ ରହିବା ପରେ ଆଜି ସନ୍ଧ୍ୟାରେ ତିନିଦିଅଁ ଗୋଟିପହଣ୍ଡି କରି ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପ ବିଜେ କରିଛନ୍ତି । 
ଏହି କ୍ରମରେ ଆସନ୍ତାକାଲିଠାରୁ ଅର୍ଥାତ୍ ସୋମବାର ଦିନ ଭକ୍ତମାନଙ୍କୁ ମିଳିବ ଆଡ଼ପ ଅବଢା । ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନ ରଥ ଲାଗିବା ପରେ ହଜାର ହଜାର ଶ୍ରଦ୍ଧାଳୁ ରଥ ତଳୁ ଦର୍ଶନ କରିବା ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ । ଦିନ ତମାମ ରଥ ଚାରିପଟେ ଲାଗି ରହିଥିଲା ଭକ୍ତମାନଙ୍କ ପ୍ରବଳ ଭିଡ଼ । ତିନି ରଥ ଉପରେ ଠାକୁରମାନଙ୍କର ବିଭିନ୍ନ ନୀତିକାନ୍ତି ସଂପନ୍ନ ହେବା ସହ ରାତ୍ର ୧୨ଟା ୧୫ରେ ଠାକୁରଙ୍କୁ ପହୁଡ଼ କରାଯାଇଥିଲା । ପହୁଡ଼ ପରେ ମଧ୍ୟ ଅସଂଖ୍ୟ ଯାତ୍ରୀ ରଥ ଚତୁଃପାଶ୍ୱର୍ରେ ଭିଡ଼ ଜମାଇବାରୁ ଦଳାଚକଟା ପରିସ୍ଥିତି ଉପୁଜି ତିନି ଜଣଙ୍କ ମୃତୁ୍ୟ ଘଟିଥିଲା । ଏହି ଅଭାବନୀୟ ଘଟଣା ପରେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ଦେଖାଯାଇନଥିଲା । ସକାଳ ୬.୧୫ରୁ ୬.୫୦ ମଧ୍ୟରେ ତିନି ରଥ ଉପରେ ମଙ୍ଗଳଆଳତି କରାଯାଇଥିଲା । ୬.୪୫ରେ 
ତଡ଼ପଲାଗି, ୭.୧୫ରେ ଅବକାଶ ଓ ୭.୪୦ରେ ରଥ ଉପରେ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା । ୯.୦୫ ସୁଦ୍ଧା ତିନି ରଥରେ ଗୋପାଳବଲ୍ଲଭ ଭୋଗ କରାଯାଇଥିଲା । ୧୦.୩୦ରେ ସକାଳଧୂପ ପୂଜା ଶେଷ ହୋଇଥିଲା । ୧୦.୫୦ରେ ମଇଲମ, ୧୧.୩୦ରେ ଯାତ୍ରାଙ୍ଗୀ ମହାସ୍ନାନ, ୧୧.୩୫ରେ ସର୍ବାଙ୍ଗ, ୧୧.୪୦ରେ ପୁନଶ୍ଚ ମହାପ୍ରଭୁଙ୍କୁ ମଇଲମ କରାଯାଇଥିଲା । ମଧ୍ୟାହ୍ନ ୧୨ଟାରେ ମଧ୍ୟାହ୍ନ ଧୂପ ପୂଜା ବସିଥିଲା । ୧.୨୫ରେ ସନ୍ଧ୍ୟାଆଳତି କରାଯାଇଥିଲା । ୨.୪୫ରେ ସନ୍ଧ୍ୟାଧୂପ କରାଯାଇ ୩.୨୫ରେ ରଥରେ ଘୋଡ଼ା ଫିଟାଯାଇ ଚାରମାଳ ବନ୍ଧାଯାଇଥିଲା । ଚାରମାଳ ବନ୍ଧା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬.୫୦ମିନିଟ୍ ମଧ୍ୟରେ ଘଣ୍ଟଘଣ୍ଟା ଧ୍ୱନିର ନିର୍ଘୋଷ ମଧ୍ୟରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜଙ୍କ ରଥରୁ ରାମକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଚଳନ୍ତି ପ୍ରତିମା ମଦନମୋହନ ଆଡ଼ପମଣ୍ଡପକୁ ବିଜେ କରିଥିଲେ । ପରେ ଶ୍ରୀ ସୁଦର୍ଶନ, ପ୍ରଭୁ ବଳଭଦ୍ର ଟାହିଆ ପରିହିତ ହୋଇ ରଥରୁ ଅବତରଣ କରୁଥିବା ବେଳେ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ମୁଖରିତ ହୋଇଉଠିଥିଲା ଗୁଣ୍ଡିଚା ମନ୍ଦିର ଅଞ୍ଚଳ । ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା । ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ ଯାଇଥିଲେ । ପହଣ୍ଡି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲି ଓ ବ୍ରହ୍ମଗିରି ବିଧାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ଓ ଅତିରିକ୍ତ ଡ଼ି.ଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ି.ଆଇ.ଜି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।