ଶିମିଳିପାଳ ସମ୍ବେଦନଶୀଳ ଜୋନ୍
ଭୁବନେଶ୍ୱର: ଶିମିଳିପାଳ ଜୈବମଣ୍ଡଳର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣାକୁ ନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୟୂରଭଞ୍ଜର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବାଙ୍ଗୀରିପୋଷୀ ବିଧାୟିକା ସାଞ୍ଜାଳି ମୁର୍ମୁ ଓ ସରସକଣା ବିଧାୟକ ଭାଦବ ହାଁସଦା ଉପସ୍ଥିତ ରହି ଶିମିଳିପାଳ ସମ୍ବନ୍ଧୀୟ ବହୁ ତଥ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏହି ବୈଠକର ଉଦେ୍ଦଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ ।
ପରିବେଶ ସମ୍ବେଦନଶୀଳ କ୍ଷେତ୍ରର ପରିଚାଳନା କ୍ଷେତ୍ରରେ ଅନୁମୋଦିତ ଜୋନାଲ ମାଷ୍ଟର ପ୍ଲାନ ଅନୁଯାୟୀ ପରିବେଶ ସମ୍ବେଦନଶୀଳ ଜୋନ୍ ବିଜ୍ଞପ୍ତି ପାଇଁ ତଦାରଖ କମିଟି ଗଠିତ ହେବ । ପରିବେଶ (ସୁରକ୍ଷା) ଆଇନ, ୧୯୮୬ର ଧାରା ୩ ର ଉପ-ଧାରା (୩) ଅନୁଯାୟୀ ଏହି ବିଜ୍ଞପ୍ତିର ବ୍ୟବସ୍ଥାଗୁଡ଼ିକର ତଦାରଖ କମିଟିରେ ମୟୂରଭଞ୍ଜ ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ । ସେହିପରି କେନ୍ଦୁଝର ଜିଲ୍ଲାପାଳ, ଏସ୍ପି ବାରିପଦା ଡିଏଫ୍ଓ, ଏସ୍ପି, ଅଣ ସରକାରୀ ସଂଗଠନର ପ୍ରତିନିଧି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧିଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏଥିରେ ସଦସ୍ୟ ରହିବେ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି । ସେହିପରି ପ୍ରାକୃତିକ ପରିବେଶ ଓ ଜୈବମଣ୍ଡଳର ସୁରକ୍ଷା ଯେପରି ସୁନିଶ୍ଚିତ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ବୈଠକରେ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ।