ରାଜସ୍ଥାନୀ ମା’ ନବଜାତକଙ୍କ ନାମ ରଖୁଛନ୍ତି ‘ସିନ୍ଦୂର’

ଜୟପୁର : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଲୋକମାନେ ନିଜ ନିଜ ଦେଶପ୍ରେମକୁ ବିଭିନ୍ନ ଉପାୟରେ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ‘ଅପରେଶନ ସିନ୍ଦୂର’ରେ ଅନୁପ୍ରାଣିତ ହୋଇ ରାଜସ୍ଥାନର ଅନେକ ମା’ ସେମାନଙ୍କ ନବଜାତକଙ୍କ ନାମକୁ ସିନ୍ଦୂର ରଖୁଛନ୍ତି। ଝୁନ୍‌ଝୁନ୍‌ ଜିଲା ନଓ୍ବଲଗଡ଼ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ୩ ଜଣ ନବଜାତକଙ୍କ ନାମ ସିନ୍ଦୂର ରଖାଯାଇଛି। ସ୍ଥାନୀୟ ଝାଝର ଗ୍ରାମର ଜଣେ ମହିଳା ସୀମା କହିଛନ୍ତି, ଅପରେଶନ ସିନ୍ଦୂର ମାଧ୍ୟମରେ ପହଲଗାମ୍‌ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିଥିଲା। ତେଣୁ ସେ ତାଙ୍କ ନବଜାତ ଶିଶୁପୁତ୍ରର ନାମ ସିନ୍ଦୂର ରଖିଛନ୍ତି। ଏହି ନାମ ସର୍ବଦା ତାଙ୍କ ପୁଅକୁ ଦେଶକୁ ଭଲ ପାଇବା ପାଇଁ ପ୍ରେରଣା ଯୋଗାଇବ। ଉକ୍ତ ଶିଶୁର ଜେଜେମା’ କହିଛନ୍ତି, ସେ ତାଙ୍କ ନାତିକୁ ସେନାକୁ ପଠାଇବେ, ଯାହାଫଳରେ ସେ ଦେଶର ସେବା କରିପାରିବ।

 ସେହିପରି ଗ୍ରାମର ଅନ୍ୟଜଣେ ମହିଳା ସଞ୍ଜୁ କହିଛନ୍ତି, ୪ ଦିନ ତଳେ ଜନ୍ମ ହୋଇଥିବା ତାଙ୍କ ପୁଅର ନାମ ସେ ସିନ୍ଦୂର ରଖିଛନ୍ତି। ପହଲଗାମ୍‌ ଆକ୍ରମଣରେ ଅନେକ ମା’ ଏବଂ ଭଉଣୀ ସେମାନଙ୍କ ସିନ୍ଦୂର ହରାଇଥିଲେ। ଏହି ନାମରେ ଅପରେଶନ କରି ଭାରତୀୟ ସେନା ଆତଙ୍କବାଦକୁ ଦୃଢ଼ ଜବାବ ଦେଇଥିବା ସେ କହିଛନ୍ତି। ସେହିପରି କାସୈରୁ ଗ୍ରାମର କାଞ୍ଚନ କହିଛନ୍ତି, ସେ ତାଙ୍କ ନବଜାତ ଶିଶୁକନ୍ୟାର ନାମ ସିନ୍ଦୂର ରଖିଛନ୍ତି। ଏପରି କରି ପହଲଗାମ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନଓ୍ବଲଗଡ଼ ହସ୍ପିଟାଲର ଡାକ୍ତର ଜିତେନ୍ଦ୍ର ଚୌଧୁରୀ କହିଛନ୍ତି, ଆତଙ୍କବାଦ ବିରୋଧରେ ‘ଅପରେଶନ ସିନ୍ଦୂର’କୁ ନେଇ ଘୋଷଣା କରାଯିବା ପରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ଜନ୍ମ ହୋଇଥିବା ୩ ନବଜାତକଙ୍କ ନାମକୁ ସେମାନଙ୍କ ଅଭିଭାବକ ସିନ୍ଦୂର ରଖିଛନ୍ତି। ସମ୍ପ୍ରତି ଲୋକଙ୍କ ମଧ୍ୟରେ ଥିବା ଗଭୀର ଦେଶପ୍ରେମ ଭାବନାକୁ ଏହା ଦର୍ଶାଉଛି ବୋଲି ସେ କହିଛନ୍ତି।