ସିନେମାରେ ଷ୍ଟଣ୍ଟ୍ କରୁ କରୁ ହସ୍ପିଟାଲ ବେଡ୍ ରେ ଗାୟକ ଗୁରୁ ରନ୍ଧାୱା

ପଟୋଲା , ତେନୁ ସୁଟ୍ ସୁଟ୍ କରଦା , ଫ୍ୟାସନ୍ ଭଳି ପପୁଲାର୍ ପଞ୍ଜାବୀ ଗୀତ ଗାଇଥିବା ଗାୟକ ତଥା ଅଭିନେତା ଗୁରୁ ରନ୍ଧାୱା ଏବେ ହସ୍ପିଟାଲ୍ ବେଡରେ । ଆହତ ଅବସ୍ଥାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର୍ କରି ସେ ଆହତ ହେବାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଇନଷ୍ଟାରେ ପୋଷ୍ଟ୍ ହୋଇଥିବା ଫଟୋରେ ସେ ହସ୍ପିଟାଲ୍ ବେଡରେ ଶୋଇଥିବାର ନଜର ଆସୁଛନ୍ତି । ଗୁରୁଙ୍କ ବେକରେ ସର୍ଭାଇକଲ୍ କଲର୍ ବନ୍ଧା ହୋଇଥିବାର ଦେଖିବାକୁ ମିଳୁଛି । ମୁଣ୍ଡରେ ବ୍ୟାଣ୍ଡେଜ୍ ଏବଂ ମୁହଁରେ ଆହତର ଚିହ୍ନ ଏବଂ ଅଳ୍ପ ହସି ସେ ଦୁଇହାତରେ ଥମ୍ବ ସାଇନ୍ ଦେଇ ଫ୍ୟାନ୍ସଙ୍କୁ ସୁସ୍ଥ ଥିବାର ସନ୍ଦେଶ ଦେଇଛନ୍ତି ।  ଫିଲ୍ମ ସୁଟିଂ ସମୟରେ ଷ୍ଟଣ୍ଟ୍ କରୁଥିବା ବେଳେ ଗୁରୁଙ୍କୁ ଏହି ଆଘାତ ଲାଗିଥିବାର ସୂଚନା ମିଳୁଛି । ଅଭିନେତା ନିଜର ଆଗାମୀ ସିନେମା ‘ସୋଁକି ସର୍ଦ୍ଦାର’ ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଷ୍ଟଣ୍ଟ ସମୟରେ ଆହତର ଶିକାର ହୋଇଥିଲେ । ସେ ଫଟୋ ପୋଷ୍ଟ୍ କରି ଲେଖିଛନ୍ତି , ‘ମୋ ପ୍ରଥମ ଷ୍ଟଣ୍ଟ୍ , ମୋ ପ୍ରଥମ କ୍ଷତ , କିନ୍ତୁ ମୋ ସାହସ ଏବେବି ଭାଙ୍ଗିନି । ଏ ଆଘାତ ସୋଁକି ସର୍ଦ୍ଦାର ସିନେମାର ଗୋଟିଏ ଅଭୁଲା ସ୍ମୃତି । ଆକ୍ସନ୍ କରିବା ବହୁତ କଷ୍ଟ କିନ୍ତୁ ଦର୍ଶକଙ୍କ ପାଇଁ ପରିଶ୍ରମ କରିବାରେ ଆଦୌ ଊଣା କରିବିନି’ । ତେବେ ଗୁରୁଙ୍କ ଏହି ଫଟୋ ପୋଷ୍ଟ୍ ପରେ ତାଙ୍କ ଫ୍ୟାନ୍ସ , ସେଲିବ୍ରିଟି ବନ୍ଧୁ ଚିନ୍ତାପ୍ରକଟ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଭିନେତ୍ରୀ ମୃଣାଳ ଠାକୁରଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଭିନେତା ଅନୁପମ୍ ଖେର , ସିଙ୍ଗର୍ ମିକ୍କା ସିଂ , କମେଡି କ୍ବିନ୍ ଭାରତୀ ସିଂ ଆଦି ସେଲିବ୍ରିଟି ଗୁରୁଙ୍କୁ ଶୀଘ୍ର ସୁସ୍ଥ ହେବା ପାଇଁ ସାହସ ଦେଇଛନ୍ତି ।   ଗୁରୁଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସୋଁକି ସର୍ଦ୍ଦାର’ ଆଗାମୀ ବର୍ଷ ରିଲିଜ୍ ହେବାକୁ ଥିବା ବେଳେ ସିନେମାର ସୁଟିଂ କାମ ଜୋରସୋରରେ ଚାଲିଛି । ଫିଲ୍ମରେ ଗୁରୁ ରନ୍ଧାୱାଙ୍କ ଲିଡରେ ନଜର ଆସିବେ ନିର୍ମତ୍ ଅହଲୁୱାଲିଆ । ସିନେମାଟି ପ୍ରେମ , ସଚ୍ଚୋଟପଣ ଏବଂ ସଂସ୍କୃତି,ପରମ୍ପରାର ନିଚ୍ଛକ କାହାଣୀକୁ ସିନେପ୍ରେମୀଙ୍କ ଆଗରେ ପରଷିବ ବୋଲି ସୂଚନା ମିଳୁଛି । ସିନେମାର ସୁଟିଂ ପୂର୍ବରୁ ଗୁରୁ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାଧୁସନ୍ଥଙ୍କ ଠାରୁ ଆଶିର୍ବାଦ ନେଇଥିଲେ ଏବଂ ସଙ୍ଗମସ୍ଥଳରେ ତାଙ୍କୁ ଭେଟିବାକୁ ଆସିଥିବା ଫ୍ୟାନ୍ସଙ୍କ ସହ ମଧ୍ୟ ସେଲ୍ଫି ନେଇଥିଲେ । ସେ ସଙ୍ଗମର ଭିଡିଓ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ୍ କରିଥିଲେ ।