ବିଜେପିର ଦାଦନମୁକ୍ତ ଓଡ଼ିଶା ଗଠନ ପାଣିର ଗାର: ବିଜେଡ଼ି

 ଭୁବନେଶ୍ୱର  :  ନିଜର ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ଦାଦନ ମୁକ୍ତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ରାଜ୍ୟରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ଅଧିକ ଉକ୍ରଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି  । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ ରାଜ୍ୟ ବିଜେପି ସରକାର ଦାଦନ ସମସ୍ୟା ସମାଧାନ ଦିଗରେ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଅଭିଯୋଗ କରି ସରକାରଙ୍କ ଉପରେ ବର୍ଷିଥିଲେ । 
ଶ୍ରୀ ଦାସବର୍ମା କହିଥିଲେ, ଦାଦନ ସମସ୍ୟାକୁ ନେଇ ବିଜେପି ତରଫରୁ ପୂର୍ବ ସରକାରଙ୍କୁ ସମାଲୋଚନା କରୁଥିଲା ଓ କ୍ଷମତାକୁ ଆସିଲେ ଏହି ସମସ୍ୟାର ସମାଧାନ କରିବ ବୋଲି ଗତ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା । ଦାଦନ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟ କେବଳ ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯିବାରେ ସୀମିତ ରହିଛି  । ରାଜ୍ୟର ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳରେ ମନରେଗା ଯୋଜନା ମାଧ୍ୟମରେ କର୍ମ ଦିବସ ଯୋଗାଇଦେବା କମୁଥିବାରୁ ସମସ୍ୟା ରାଜ୍ୟରେ ଉକ୍ରଟ ରୂପ ନେଉଛି । ସରକାରଙ୍କ ନିକଟରେ ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ସମୁଦାୟ ୧୭ କୋଟି ୬୧ ଲକ୍ଷ କର୍ମ ଦିବସ ଯୋଗାଇଦିଆ ଯାଇଥିବା ବେଳେ ବିଜେପି କ୍ଷମତାକୁ ଆସିବା ପରେ ଏହି ସଂଖ୍ୟା ୧୦ କୋଟି ତଳକୁ ଖସି ଆସିଛି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ୩.୩୯ ଲକ୍ଷ ପରିବାରଙ୍କୁ ୧୦୦ ଦିନର କର୍ମ ଦିବସ ଯୋଗାଯାଇଥିବା ବେଳେ ଏହା ବିଜେପି ସରକାରଙ୍କ ସମୟରେ ୧.୪୯ ଲକ୍ଷ ପରିବାରକୁ ଖସି ଆସିଛି । ଶ୍ରୀ ସାହୁ କହିଥିଲେ, ବିଜେପିର ଓଡିଶାକୁ ଦାଦନମୁକ୍ତ କରିବା ଓ ରାଜ୍ୟର ଯୁବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପ୍ରତିଶ୍ରୁତି ଆଜି ପାଣିର ଗାର ପାଲଟିଛି । ପ୍ରତିଦିନ ରାଜ୍ୟ ବାହାରେ କେଉଁଠି ନା କେଉଁଠି ଓଡିଶାର ଶ୍ରମିକଙ୍କ ଦୁର୍ଦ୍ଦଶାର ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି ।