ବେଆଇନ ଭାବେ ଶିକ୍ଷକ ବଦଳି ,ତୁରନ୍ତ ରିପୋର୍ଟ ପ୍ରଦାନ କର:ହାଇକୋର୍ଟ

ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି  ।  ରାଜ୍ୟର ସମସ୍ତ ସ୍କୁଲରେ ୨୦୨୫, ଅଗଷ୍ଟ ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ  (ପିଟିଆର)  ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି ।  କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି   

ସେ ନେଇ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।   ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀତାକାନ୍ତ ସାମଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।  ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି  ଯେ ବହୁ ସମୟରେ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଉଛି  ।  ଏଥି ସହିତ ବଦଳି ଗାଇଡଲାଇନ ଅନୁସାରେ ଶିକ୍ଷକଙ୍କ ଗୋଟିଏ ସ୍କୁଲରେ ଅବଧି ପୂରଣ ହେବା ପୂର୍ବରୁ ଅନ୍ୟତ୍ର ବଦଳି କରାଯାଉଛି  । ଏଭଳି ସ୍ଥିତିରେ ବହୁ ସ୍କୁଲରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବଜାୟ ରଖାଯାଇ ପାରୁ ନାହିଁ। ଏହା ଦ୍ବାରା ଶିକ୍ଷାଦାନର ମାନ ପ୍ରଭାବିତ ହେଉଛି ।  କେନ୍ଦ୍ର ସରକାରଙ୍କ ନୂଆ  ଶିକ୍ଷା ନୀତିରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ଧାର୍ଯ୍ୟ କରାଯାଇଛି। ବଢୁଥିବା ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଗଣାତ୍ମକ ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି ।  ପ୍ରସିଦ୍ଧ ପୁସ୍ତକ 'ଗୋଲ୍ଡେନ୍ ଅପର୍‌ଚୁନିଟି'ରେ ଏହି ପ୍ରସଂଗରେ ଆଲୋଚନା କରାଯାଇଛି ।  ଶିକ୍ଷା ଅଧିକାର ସମ୍ବିଧାନର ଧାରା ୨୧ର ଅଂଶବି‌ଶେଷ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି ।  ଏଭଳି ସ୍ଥିତିରେ ପ୍ରଶାସନରେ ଏଭଳି ଅଭାବକୁ କୋର୍ଟ ଜାଣି ଶୁଣି ଅଣଦେଖା କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।