କାମରେ ଆସୁନି ଛାତ୍ରୀ ନିବାସ

ନୂଆପଡାରୁ ପରମେଶ୍ୱର ବାରିକ : କାମରେ ଆସୁନି କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଛାତ୍ରୀନିବାସ । ରହୁ ନାହାନ୍ତି ଛାତ୍ରୀ, କିଏ ଘରୁ ଯା ଆସ କରୁଛି ତ କିଏ ସମ୍ପର୍କୀୟ ଘରେ ରହି ସ୍କୁଲ ଯିବା ଆସିବା କରୁଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ଛାତ୍ରୀନିବାସ କାର୍ଯ୍ୟକାରୀ ନ ହୋଇ ପଡି ରହିଛି । ଗୃହ ନିର୍ମାଣ ସରିଯାଇଥିବାବେଳେ ରହିବା ପାଇଁ କୌଣସି ଆବଶ୍ୟକ ସାମଗ୍ରୀ ସହ ସୁବିଧା ନାହିଁ । ତେଣୁ ଛାତ୍ରୀ ନିବାସ ବର୍ଷ ବର୍ଷ ଧରି କାମରେ ନ ଆସି ପଡି ରହିଛି । ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଖୋଲି କାର୍ଯ୍ୟକାରୀ ନେଇ ଭୁଲି ଗଲେ ସରକାର । ଏଠାରେ ଥିବା ଛାତ୍ରୀ ନିବାସ ଖଡ଼ିଆଳ ପୂର୍ତ୍ତ ବିଭାଗରୁ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମାଣ ହୋଇ ଦେଢ଼ ବର୍ଷ ହେଲା ଆଦର୍ଶ ବିଦ୍ୟାଳୟକୁ ହସ୍ତାନ୍ତର ହୋଇଛି । ହେଲେ ଛାତ୍ରୀ ନିବାସରେ ରହିବା ପାଇଁ ବିଭିନ୍ନ ସୁବିଧା ନ ଥିବାରୁ ଛାତ୍ରୀ ରହୁନାହାନ୍ତି । ବିଭିନ୍ନ କୋଠରୀରେ ବେଡ୍ ଭଳି ଆବଶ୍ୟକ ସାମଗ୍ରୀ ମାନ ନ ଥିବାରୁ ହଷ୍ଟେଲ ଖୋଲୁନି । ତେଣୁ ଛାତ୍ରୀମାନେ ଘରୁ ସ୍କୁଲକୁ ଆସି ଯାଉଛନ୍ତି । ଅଭିଭାବକଙ୍କ ଦ୍ୱାରା ଭଡ଼ା ଚାରି ଚକିଆ ଗାଡ଼ିରେ ସ୍କୁଲ ଆଉ ଘର କୁ ଯିବା ଆସିବା କରୁଛନ୍ତି ଶିକ୍ଷାର୍ଥୀ । ଛାତ୍ରୀଙ୍କ ପାଠପଢା ସହ ସୁବିଧାରେ ରହିବା ପାଇଁ ହୋଇଥିବା ହଷ୍ଟେଲ କାର୍ଯ୍ୟକାରୀ ବିଳମ୍ବ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କୋଟି କୋଟି ଟଙ୍କାର ହଷ୍ଟେଲ ବିଲ୍ଡିଂ ଏବେ ଅକାମୀ ହୋଇ ପଡି ରହିଛି । ଛାତ୍ରୀ ନିବାସ କାର୍ଯ୍ୟକାରୀ ସହ ଛାତ୍ର ନିବାସ ପାଇଁ ମଧ୍ୟ ଦାବି କରିଛନ୍ତି ଅଭିଭାବକ । ଶିକ୍ଷା ବିଭାଗରୁ ଫଣ୍ଡ ଆସିଛି, ବିଭିନ୍ନ ସାମଗ୍ରୀ କିଣା ପରେ ଜାନୁଆରୀ ମାସରେ ହଷ୍ଟେଲ ଚାଲିବା ନେଇ ସ୍କୁଲର ପ୍ରିନ୍ସପାଲ କହୁଥିବାବେଳେ ଶୀଘ୍ର କାର୍ଯ୍ୟକାରୀ ନେଇ ଗୁରୁତ୍ୱ ଦେବେ ବୋଲି ନୂଆପଡା ଜିଲ୍ଲାପାଳ କହିଛନ୍ତି ।