ଅବହେଳିତ ଅବସ୍ଥାରେ ମଣ୍ଡାପାଳ ଉପଖଣ୍ଡ ଚିକିତ୍ସାଳୟ
ତାଳଚେରରୁ ଅକ୍ଷୟ ମହାରଣା : କଳାହୀରା ସହର ଭାବେ ସାରା ଦେଶରେ ତାଳଚେର ନିଜର ନାମ ଖାତି ଅର୍ଜନ କରୁଥିବାବେଳେ ଏଠି ଲୋକ ଧୂଳିଧୂଅାଁ, କୋଇଲା ଗୁଣ୍ଡ ଖାଇ ଅତ୍ୟଧିକ ଜନସାଧାରଣ ରୋଗଗ୍ରସ୍ତ ହେଉଛନ୍ତି । ଏଠି ଲୋକ ବିଭିନ୍ନ ରୋଗରେ ପୀଡିତ ହେଉଥିବା ବେଳେ ତାଙ୍କର ଦୁଃଖ ଦେଖିବାକୁ କେହି ନାହାନ୍ତି । ଗୋଟିଏ ମାତ୍ର ଉପଖଣ୍ଡରେ ଥିବା ତାଳଚେର ସରକାରୀ ମଣ୍ଡାପାଳ ହସ୍ପିଟାଲ ଯେଉଁଠି କି ରୋଗୀ ଗଲେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି ବୋଲି ରୋଗୀ ପରିବାର ବର୍ଗ ଅଭିଯୋଗ କରିଥାନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ତାଳଚେରରୁ କୋଟି କୋଟି ଟଙ୍କା ରାଜସ୍ୱ ନେଉଥିବା ବେଳେ ତାଳଚେର ପ୍ରତି ଏତେ ଅଣଦେଖା କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତେବେ ପ୍ରଶାସନିକ ଓ ରାଜନେତାଙ୍କ ଅବହେଳାରୁ ତାଳଚେର ମଣ୍ଡାପାଳ ଉପଖଣ୍ଡ ଚିକିତ୍ସାଳୟ ଅବହେଳିତ ଅବସ୍ଥାରେ ଗତି କରୁଛି । ଏହି ଡ଼ାକ୍ତଖାନାକୁ ତାଳଚେର ସହରବାସୀ ସମେତ ଏହାର ଆଖାପାଖ ଅଂଚଳରୁ ପ୍ରାୟ ଦୈନନ୍ଦିନ ଶହଶହ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି । କିନ୍ତୁ ଏହି ସର୍ବପୁରାତନ ମେଡ଼ିକାଲରେ ଦୀର୍ଘଦିନ ହେବ ଡ଼ାକ୍ତରଙ୍କ ମରୁଡ଼ି ରହୁଥିବା ଓ ଆବଶ୍ୟକ ରୋଗୀ ସେବା ପାଇ ପାରୁନାହାନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହୋଇଥାଏ । କିଛିକାଂଶରେ ରୋଗୀ ଅନ୍ୟତ୍ର ସ୍ଥାନାନ୍ତରିତ ମଧ୍ୟ ହେଉଥିବା ଦେଖାଯାଉଛି । ଏହି ଡ଼ାକ୍ତରଖାନା ସମସ୍ୟା ସାମଧାନ ପାଇଁ ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ତାଳଚେର ଉପଖଣ୍ଡ ଚିକିତ୍ସାଳୟ ବହୁ ପୁରୁଣା । ତାଳଚେର ସମେତ ଢ଼େଙ୍କାନାଳ ଜିଲ୍ଲାର ନିକଟବର୍ତ୍ତୀ ଅଂଚଳରର ଲୋକମାନେ ଏହା ଉପରେ ନିର୍ଭର କରନ୍ତି । ଏହି ଡାକ୍ତଖାନାରେ ଟ୍ରମାକେୟାର୍ ସେଣ୍ଟର ନିର୍ମାଣ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ଏହି ମେଡ଼ିକାଲରେ ଯଥାସମ୍ଭବ ମେସିନ ଥିଲେ ମଧ୍ୟ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଓ ଟେକନିସିଆନ୍ ଡ଼ାକ୍ତର ଏବଂ କର୍ମଚାରୀ ଅଭାବରୁ କେତେକ ଯନ୍ତ୍ରପାତି ବ୍ୟବହୃତ ହୋଇ ନ ପାରି ପଡ଼ିରହିଛି । ଏହି ଡ଼ାକ୍ତରଖାନାରେ ପ୍ରସୂତି ବିଭାଗ ଡ଼ାକ୍ତର ଅଛନ୍ତି । କିନ୍ତୁ ପ୍ରସବ ପାଇଁ କୌଣସି ମହିଳା ଆସିଲେ ତାଙ୍କୁ ଅନ୍ୟତାଙ୍କୁ ଅନ୍ୟ ଡ଼ାକ୍ତରଖାନାକୁ ପଠାଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ଉକ୍ତ ଡ଼ାକ୍ତରଖାନାରେ ନିଶ୍ଚେତକ ଡ଼ାକ୍ତର ନାହାନ୍ତି । ତେଣୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର ହୋଇପାରୁନି । ରୋଗୀଙ୍କ ଖଟରେ ଏକ ସପ୍ତାହରେ ୭ଟି ରଙ୍ଗ୍ ବେଡ଼ସିଟ୍ ପଡ଼ିବ ବୋଲି ଚିକିତ୍ସାଳୟ କାନ୍ଥରେ ଲେଖାଯାଇଛି । କିନ୍ତୁ ଖାଲି ଖଟରେ ରୋଗୀଙ୍କୁ ଶୁଆଇ ଦିଆଯାଉଥିବା ଅଭିଯୋଗ ବି ହେଉଛି । ଏହି ଡ଼ାକ୍ତରଖାନାଟି ଉପରେ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ରୋଗୀ ହୀନସ୍ତା ହେଉଛନ୍ତି ବୋଲି ରୋଗୀଙ୍କ ପରିବାର ସୂତ୍ରରୁ ଜଣାପଡ଼େ । ଏଦିଗରେ ରାଜ୍ୟ ସରକାର ଓ ଜିଲ୍ଳାପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀମାନେ ଦାବି କରିଛନ୍ତି ।