କିନ୍ନରଙ୍କୁ ବାହା ହେବାକୁ କହିବାରୁ ବାପାମା’ଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ୨୪ ବର୍ଷୀୟ ପୁଅ ଜଣେ ସମଲିଙ୍ଗୀ (କିନ୍ନର)ଙ୍କୁ ବିବାହ ପାଇଁ ଜିଦ୍ କରିବାରୁ ଆତ୍ମହତ୍ୟା କରିଛନ୍ତି ବାପା ମା’ । ଲୋକଲଜ୍ଜା ଅସହ୍ୟ ହେବ ଆଶା କରି ବାପା ମା’ ଏଭଳି କାଣ୍ଡ ଭିଆଇଛନ୍ତି । ଆନ୍ଧ୍ରପ୍ରଦେଶର ନନ୍ଦୟାଲ ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମୃତକ ବାପା ମା’ ହେଉଛନ୍ତି ସୁବା ରାୟୁଡୁ (୪୫) ଓ ତାଙ୍କ ପନôୀ ସରସ୍ୱତୀ (୩୮) ।
ନନ୍ଦୟାଲ ସବ ଡିଭିଜନନାଲ ପୁଲିସ୍ ଅଫିସର ପି ଶ୍ରୀନିବାସ ରେଡ୍ଡୀ କହିଛନ୍ତି ଯେ ମାସେ ହେଲାଣି ପୁଅ ସୁନୀଲ କୁମାର (୨୪)ର ସମ୍ପୃକ୍ତ କିନ୍ନରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା । ସୁନୀଲ କୁମାର ବିଗତ ୩ ବର୍ଷ ହେଲାଣି ସ୍ଥାନୀୟ କିନ୍ନର ସଂପ୍ରଦାୟ ସହ ଜଡ଼ିତ ରହିଥିଲା । ଏହାକୁ ପରିବାର ଲୋକ ବିରୋଧ କରୁଥିଲେ ମଧ୍ୟ ସେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । କୁମାର ସେଠାରେ ଜଣେ କିନ୍ନରଙ୍କ ପ୍ରେମ ପଡ଼ିଥିଲେ । ପରିବାର ଲୋକ ତା’ ବାହାଘର ପାଇଁ ଜଣେ ଯୁବତୀଙ୍କୁ ଠିକ କରିଥିଲେ ମଧ୍ୟ ସେ ଏହାକୁ ରୋକଠୋକ୍ ମନା କରିବା ସହ ସମ୍ପୃକ୍ତ କିନ୍ନରଙ୍କୁ ବିବାହ କରିବ ବୋଲି ଜିଦ୍ ଧରିଥିଲା । ଏହାକୁ ପରିବାର ପକ୍ଷରୁ ବାରମ୍ବାର ବିରୋଧ କରାଯାଉଥିବାରୁ ସୁନୀଲ ମଧ୍ୟ ଥରେ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାକୁ ନେଇ ପରିବାର ଲୋକ ମାନସିକ ଚାପରେ ରହିଥିଲେ । ତଦନ୍ତରୁ ଜଣାପଡିଛି ଯେ ସୁନୀଲ କୁମାର କିନ୍ନରମାନଙ୍କ ଠାରୁ ପ୍ରାୟ ୧.୫ ଲକ୍ଷ ଟଙ୍କା ଋଣ ଆଣିଥିଲେ । କିଛି ଦିନ ତଳେ ଏକାଧିକ କିନ୍ନର ଏହି ଟଙ୍କା ମାଗିବା ପାଇଁ ସୁବା ରାୟୁଡୁଙ୍କ ଘରେ ପହଞ୍ଚିଥିଲେ । ସେମାନେ ସୁବା ଓ ସରସ୍ୱତୀଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଥିଲେ ।