ଉତ୍ତରାଖଣ୍ଡ କେଦାରନାଥରେ ଫସି ରହିଛନ୍ତି ୪ ଜଣ ଓଡିଆ କାଉଡିଆ , ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ

ଉତ୍ତରାଖଣ୍ଡର କେଦାରନାଥରେ କେନ୍ଦୁଝର ଜିଲ୍ଲାର ୪ ଜଣ ଓଡିଆ ବୋଲବମ୍ ଭକ୍ତ ଫସି ରହିଛନ୍ତି । ଗତ ୩୧ ତାରିଖ ଦିନ କେଦାରନାଥଙ୍କ ନିକଟରେ ଜଳ ଲାଗି କରିବା ପରେ ୧ ତାରିଖ ସକାଳେ ଫେରିବା ଯୋଜନା ରହିଥିଲା । ତେବେ ୩୧ ତାରିଖ ରାତିରେ ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ କେଦାରନାଥ ରାଜପଥ ଧୋଇ ହୋଇ ଯିବା ସହିତ ପୋଲ ମଧ୍ୟ ନଷ୍ଟ ହୋଇଛି । ସ୍ଥଳ ଭାଗରେ ଆସିବା ସମ୍ଭବ ହେଉ ନ ଥିବାରୁ ସମସ୍ତଙ୍କୁ ଆକାଶ ମାର୍ଗରେ ଉଦ୍ଧାର କାମ ଜାରି ରହିଛି । ଫସିଥିବା ବୋଲବୋମ ଭକ୍ତଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର ୩ ଜଣ ଓ ସଦର ଥାନା ଅଞ୍ଚଳର ଜଣେ ଭକ୍ତ ରହିଛନ୍ତି । ୩ ଦିନ ହେଲାଣି ସେମାନେ ଫସି ରହିଛନ୍ତି,ସ୍ଥାନୀୟ ପ୍ରଶାସନ ହେଲିକେପ୍ଟରରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ପାଗ ଅନୁକୂଳ ରହୁନଥିବାରୁ ତାହା ମଧ୍ୟ ସମ୍ଭବ ହେଉନାହିଁ ।