ପ୍ରସ୍ତାବ ଦେବ ଆପ୍: ଇଣ୍ଡି ମେଣ୍ଟରୁ ବାଦ ପଡିପାରେ କଂଗ୍ରେସ

 ନୂଆଦିଲ୍ଲୀ: ଜାନୁଆରୀରେ ଦିଲ୍ଲୀ ନିର୍ବାଚନ । ଆଉ ଏଥିପାଇଁ ସମସ୍ତ ରାଜନୈତିକ ଦଳମାନେ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଇଣ୍ଡି ମେଣ୍ଟରେ ଦେଖାଦେଲାଣି ଫାଟ । କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା । ଗୋଟିଏ ପଟେ କଂଗ୍ରେସ ଠାରୁ ଇଣ୍ଡି ବ୍ଲକ୍ର ନେତୃତ୍ୱ ଛଡାଇ ନେଇ ମମତା ବାନାର୍ଜୀଙ୍କୁ ଦେବାକୁ ଆର୍ଜେଡି ମୁଖ୍ୟ ଲାଲୁ ଦାବି କରୁଥିବା ବେଳେ ସେପଟେ ଆପ୍ ଏହି ମେଣ୍ଟରୁ କଂଗ୍ରେସ୍କୁ ଆଉଟ୍ କରିବାକୁ ଦାବି କରୁଛି ।
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡି ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି । ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ । ଏ ସମ୍ବନ୍ଧିତ ତଥ୍ୟ ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯିବ ବୋଲି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । କଂଗ୍ରେସକୁ ନେଇ ଆପ୍ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି ବୋଲି କୁହାଯାଉଛି । ତେଣୁ କଂଗ୍ରେସକୁ ଇଣ୍ଡି ମେଣ୍ଟରୁ ବହିଷ୍କାର କରିବା ପାଇଁ ଯୋଜନା କରାଯାଉଛି । କଂଗ୍ରେସ ବିଜେପି ସହଯୋଗରେ କାମ କରୁଛି ବୋଲି ଆପ୍ ଅଭିଯୋଗ କରିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢ଼ିବ ବୋଲି ଘୋଷଣା କରିସାରିଥିଲେ ମଧ୍ୟ କଂଗ୍ରେସ ନେତାଙ୍କ ପକ୍ଷରୁ ଲଗାତର କରାଯାଉଥିବା ବୟାନ ବାଜୀକୁ ନେଇ ଆପ୍ ନେତା ଅସନ୍ତୋଷ ପ୍ରକଟ କରିଛନ୍ତି । ଦିନକ ପୂର୍ବରୁ ହିଁ ଦିଲ୍ଲୀ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାଁରେ ଠକେଇ କରାଯାଉଥିବା ଅଭିଯୋଗ ଆଣି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା । ଏହାକୁ ନେଇ ମଧ୍ୟ ଆପ୍ ନେତାମାନେ ଖପ୍ପା ହୋଇଛନ୍ତି ।