ପ୍ରେମ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା!

 କାକଟପୁର : ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ସାଏଙ୍ଗ ଗାଁରେ ପ୍ରେମ ବ୍ୟାପାରରୁ +୨ରେ ପଢ଼ୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ଏହି ଗାଁର ମାନସୀ ସ୍ୱାଇଁ ଓ ଅଜୟ ସ୍ୱାଇଁଙ୍କ ଝିଅ ହୋଇଥିବା ବେଳେ ସେ ରତନପୁର କଲେଜରେ +୨ରେ ପଢ଼ୁଥିଲେ । ଏହାରି ମଧ୍ୟରେ ଅସ୍ତରଙ୍ଗ ବ୍ଲକ ରାଇକଣାର ଅଶୋକ ସ୍ୱାଇଁଙ୍କ ପୁଅ ଅଜୟ ସ୍ୱାଇଁଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଦୁଇଜଣଙ୍କ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ନେଇ ଗତକାଲି ମଧ୍ୟାହ୍ନରେ ସମ୍ପୃକ୍ତ ନାବାଳିକା ମା’ଙ୍କ ପିନ୍ଧା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଅସ୍ତରଙ୍ଗ ଏବଂ ପରେ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକା ଜଣକ ଆତ୍ମହତ୍ୟା ଘଟଣାକୁ ନେଇ ପୁଲିସ୍ କେସ୍ ନଂ ୧୧୭/୨୫ ରୁଜୁ କରି ତଦନ୍ତ ଜାରି ରଖିଛି ।