କ’ଣ କରିବେ ସୁଜାତା ପାଣ୍ଡିଆନ୍‌ ?

sujata kartikeyan

କ’ଣ କରିବେ ସୁଜାତା ପାଣ୍ଡିଆନ୍‌ ?

 ।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର,୨୧ା୧୧: ସୁଜାତା ଆର. କାର୍ତ୍ତିକେୟନ୍‌  । ଏକଦା ରାଜ୍ୟର ପ୍ରଭାବଶାଳୀ ଅଫିସର ଓ ନେତା ଥିବା ଭିକେ ପାଣ୍ଡିଆନଙ୍କର ସେ ହେଉଛନ୍ତି ପତ୍ନୀ  । ନବୀନ ସରକାରରେ ସୁଜାତାଙ୍କର ବେଶ୍‌ କାଟତି ରହିଥିଲା  । ସେ ଯାହା ଚାହୁଁଥିଲେ ସେଇଆ ହିଁ ହେଉଥିଲା  । ପାୱାର କରିଡ଼ରରେ ବି ତାଙ୍କର ବେଶ୍‌ ଖାତିର ଥିଲା  । ଏମିତିକି ନବୀନଙ୍କ ପରେ ସେ ହିଁ ବିଜେଡ଼ିର ମଙ୍ଗ ଧରିବା ସହ ମୁଖ୍ୟମନ୍ତ୍ରୀ ହେବେବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଥିଲା  । ତେବେ ନିର୍ବାଚନ ବେଳେ ତାଙ୍କ ଉପରେ ଲଗାମ୍‌ ଲାଗିଥିଲା  । ବିଜେଡ଼ି ପାଇଁ ଖୋଲାଖୋଲି ଭୋଟ୍‌ ପ୍ରଚାର କରୁଥିବା ଅଭିଯୋଗ ଆଣିଥିଲା ବିଜେପି  । ମିଶନ ଶକ୍ତିକୁ ସେ ବିଜେଡ଼ି କାମରେ ହିଁ ଲଗାଉଥିଲେ  । ତେଣୁ ନିର୍ବାଚନ କମିଶନ ତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇଦେଲେ  । ଏହାପରେ ହଠାତ୍‌ ସୁଜାତା ୬ ମାସିଆ ଛୁଟିରେ ପଳାଇଲେ  । ୨୦୨୪ ମେ’ ୩୧ରୁ ୨୦୨୪ ନଭେମ୍ବର ୨୬ ପର୍ଯ୍ୟନ୍ତ ସୁଜାତା ଛୁଟିରେ ଯାଇଥିଲେ  । ସେ ଇଟାଲୀ ପଳାଇଥିବା କୁହାଯାଉଥିଲା  । ଅନେକ ଦିନ ପରେ ସୁଜାତା ଛୁଟିରେ ଅଛନ୍ତି ବୋଲି ଗଣମାଧ୍ୟମ ଜାଣିବାକୁ ପାଇଥିଲା  । ସେବେଠାରୁ ସୁଜାତାଙ୍କୁ ନେଇ ଆଉ କିଛି ସୋରଶବ୍ଦ ନାହିଁ  । ବିଜେଡ଼ି କ୍ଷମତାରୁ ଯିବାପରେ ଭିକେ ପାଣ୍ଡିଆନ୍‌ ଏବେ ନବୀନ ନିବାସରେ ହିଁ ଲୁଚିକି ରହୁଛନ୍ତି  । ଆଗଭଳି ସେ ଆଉ ପଦାକୁ ବାହାରୁନାହାନ୍ତି କି ସାଧାରଣରେ ଦୃଶ୍ୟମାନ ହେଉନାହାନ୍ତି  । ଏଭଳି ସ୍ଥିତିରେ ଏବେ ସୁଜାତାଙ୍କୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ  । ଆଉ କିଛିଦିନ ପରେ ସୁଜାତାଙ୍କ ଛୁଟି ସରିଯିବ  । ତେବେ ସେ ଛୁଟିରୁ ଫେରି ଚାକିରୀରେ ଯୋଗଦେବେ ନା ଚାକିରୀ ଛାଡ଼ିବେ ? ତାହାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ସମ୍ପ୍ରତି ରାଜନୀତିକ ସ୍ଥିତିକୁୁ ଦେଖିଲେ ସୁଜାତାଙ୍କୁ ଚାକିରୀ ଅସ୍ୱାଭାବିକ ଲାଗିବ  । କାହିଁକିନା ପୂର୍ବ ପତିଆରା ତାଙ୍କର ଆଉ ରହିବନି  । ଦିନେ ଯିଏ ପାୱାର କରିଡ଼ରରେ ବାଘ ଥିଲେ ଏବେ ତାଙ୍କୁ ବିରାଡ଼ି ଭୂମିକାରେ ରହିବାକୁ ପଡ଼ିବ  । ସେହିପରି ମୋହନ ସରକାର ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବେନାହିଁ ବୋଲି ସୁଜାତା ଜାଣିସାରିଛନ୍ତି  । ଏବେ ପାଣ୍ଡିଆନ୍‌ ପୂର୍ବଭଳି ବିଜେଡ଼ିର ସର୍ବେସର୍ବା ଥିବାରୁ ତାଙ୍କୁ ସରକାର ମଧ୍ୟ ବିଶ୍ୱାସକୁ ନେବେନାହିଁ  । ଏଭଳି ସ୍ଥିତିରେ ସୁଜାତାଙ୍କ ପାଇଁ ଦୁଇଟି ବିକଳ୍ପ ରହିଛି  । କେନ୍ଦ୍ରୀୟ ଡେପୁଟେସନରେ ଯାଇ ନିଜ ଚାକିରୀକୁ ସୁରକ୍ଷିତ ରଖିବେ ନଚେତ୍‌ ପାଣ୍ଡିଆନଙ୍କ ଭଳି ସ୍ୱେଚ୍ଛାକୃତ ଅବସର ନେଇ ବିଜେଡ଼ି ରାଜନୀତିରେ ସକ୍ରିୟ ରହିବେ  । ନଭେମ୍ବର ଶେଷ ସପ୍ତାହ ବେଳକୁ ସୁଜାତା କ’ଣ କରିବେ ତାହା ସ୍ପଷ୍ଟ ହୋଇଯିବ  ।