ମସ୍କଙ୍କ ସ୍ପେସ୍ଏକ୍ସ ଜରିଆରେ ଫେରିଲେ ସୁନୀତା

ଆଜି ଶେଷ ହୋଇଛି ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଅପେକ୍ଷା । ନାସାର ମହାକାଶଚାରୀ ବୁଚ୍ ୱିଲମୋର ଏବଂ ସୁନୀତା ୱିଲିୟମ୍ସ ଏବେ ପୃଥିବୀକୁ ଫେରି ଆସିଛନ୍ତି । ୮ ଦିନ ପାଇଁ ଯାଇ ନଅ ମାସ ରହିବା ପରେ ଘରକୁ ଫେରିଛନ୍ତି ସେ । ସୁନୀତା ୱିଲିୟମ୍ସ ଏବଂ ଅନ୍ୟ ମହାକାଶଚାରୀମାନେ ୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫସି ରହିଥିଲେ । ବହୁତଥର ତାଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ନାସା ତରଫରୁ ଚେଷ୍ଟା କରାଯାଇଥିବା ସତ୍ତ୍ୱେ ଫେଲ୍ ମାରିଥିଲା କିନ୍ତୁ ଏବେ ଯାଇ ସଫଳତା ମିଳିଲା । ଏଲନ ମସ୍କଙ୍କ ସ୍ପେସଏକ୍ସର ସ୍ୱତନ୍ତ୍ର ମହାକାଶ ଯାନ ଜରିଆରେ ଭୂ-ପୃଷ୍ଠକୁ ଫେରିଲେ ମହାକାଶଚାରୀ ।
ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନେଇ ସ୍ପେସଏକ୍ସ କ୍ୟାପସୁଲ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ବାହାରି ପୃଥିବୀ ପୃଷ୍ଠରେ ପହଞ୍ଚିଛି। ଏହା ପରେ, ସାରା ବିଶ୍ୱରେ ଖୁସିର ଲହରୀ ଖେଳିଯାଇଛି । ସୁନୀତା ଓ୍ବିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ମହାକାଶରୁ ଫେରାଇ ଆଣିବା ପାଇଁ ନାସାର ଅନେକ ଯୋଜନା ଯେବେ ଫେଲ୍ ମାରିଥିଲା ସେତେବେଳେ ଆଗକୁ ବଢିଥିଲେ ଏଲନ୍ ମସ୍କ ।
ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଜରିଆରେ ଭ-ପୃଷ୍ଠକୁ ସୁରକ୍ଷିତ ଫେରିଲେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ଏହି ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବାରେ ନାସା ବିଫଳ ହେବାପରେ ସଫଳ ହୋଇଛି ସ୍ପେସ୍ଏକ୍ସ ମିଶନ୍ । ଏହି ମହାକାଶଚାରୀଙ୍କୁ ଫେରାଇ ଆଣିଥିବାରୁ ସ୍ପେସ୍ଏକ୍ସକୁ ଟଙ୍କା ଦେବ ନାସା । ପ୍ରତ୍ୟେକ ଯାତ୍ରୀଙ୍କ ପିଛା ୫୦୦ କୋଟି ଅର୍ଥାତ୍ ୪ ଜଣ ମହାକାଶଚାରୀଙ୍କ ପାଇଁ ୨୦୦୦ କୋଟି ନେବ ସ୍ପେସ୍ଏକ୍ସ । ସୁନୀତା ଓ ବୁଚ୍ଙ୍କୁ ମହାକାଶରୁ ଫେରାଇ ଆଣିବା ପାଇଁ ବୋଇଂ କମ୍ପାନୀ ସହ ମିଶି ସ୍ବତନ୍ତ୍ର ସ୍ପେସ୍ କ୍ରାଫ୍ଟ ପ୍ରସ୍ତୁତ କରିଥିଲା ନାସା । ନାସା ପ୍ରସ୍ତୁତ କରିଥିବା ସ୍ପେସ୍ କ୍ରାଫ୍ଟ ହେଲା ଷ୍ଟାର୍ଲାଇନର୍, ଏହି ଷ୍ଟାରଲାଇନର ଯାନ ସାହାଯ୍ୟରେ ସୁନୀତା ଓ ବୁଚ୍ଙ୍କୁ ମହାକାଶକୁ ପଠାଇଥିଲା ନାସା । ୫ ଜୁନ୍ ୨୦୨୪ରେ ସୁନୀତା ଓ ବୁଚ୍ ଷ୍ଟାରଲାଇନରରେ ବସି ମାତ୍ର ୮ ଦିନ ପାଇଁ ଏହି ଦୁଇ ବୈଜ୍ଞାନିକ ମହାକାଶକୁ ଯାଇଥିଲେ । ହେଲେ ଫେରିବା ପୂର୍ବରୁ ଷ୍ଟାରଲାଇନର ଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା । ଦିଗ ଦେଖାଉଥିବା ୫ଟି ଥ୍ରଷ୍ଟର ଖରାପ ହୋଇଗଲା,ଏହାସହ ଷ୍ଟାରଲାଇନରରୁ ହିଲିୟମ୍ ଗ୍ୟାସ୍ ମଧ୍ୟ ଲିକ୍ ହେବାରେ ଲାଗିଲା । ଅନେକ ଚେଷ୍ଟା ସତ୍ତ୍ୱେ ସୁନୀତା ଓ ବୁଚ୍ଙ୍କୁ ଫେରାଇ ଆଣିବାରେ ଫେଲ ମାରିଲା ନାସା । ମହାକାଶଚାରୀ ଶେଷରେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପ୍ସୁଲ୍ ଜରିଆରେ ଫେରିଲେ।