ସୁପ୍ରିମକୋର୍ଟ ମାଗିଲେ ଜବାବ: କାହିଁକି ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲ?
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲା ଉପରେ ଏକ ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ପୁଲିସକୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ଉପରେ ପ୍ରଶ୍ନ କରିଛନ୍ତି।
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା କରିଥିବା ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଆଜି ଏହି ରିପୋର୍ଟ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେପି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ତର୍ଜମା କରିଥିଲେ।
ବିଚାର ସମୟରେ ବରିଷ୍ଠ ଆଡଭୋକେଟ କପିଲ ସିବଲ ଖଣ୍ଡପୀଠଙ୍କୁ କହିଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ର ହତ୍ୟାର ପର ଦିନ ଅପରାହ୍ଣ 1ଟା 47ରେ ଦିଆଯାଇ ଥିବାବେଳେ ଅପରାହ୍ନ 2ଟା 55 ମିନିଟରେ ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା।