ଛୁଟି ନେଇ ମୂଲ ଲାଗିଲେ ଶିକ୍ଷକ
ବଲାଙ୍ଗିର: ସ୍କୁଲରୁ ଛୁଟି ନେଇ ମୂଲ ଲଗିଲେ ଶିକ୍ଷକ। ତିନି ମାସ ହେଲା ଦରମା ମିଳୁ ନଥିବାରୁ ଏଭଳି ଢଙ୍ଗରେ ସେ ଆଜି କରିଛନ୍ତି ପ୍ରତିବାଦ କରିଛନ୍ତି, ଯାହା ପୂରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଶିକ୍ଷକଙ୍କ ନାଁ ପ୍ରଭୁଦତ୍ତ ସାହୁ। ସେ ଜଣେ ଦିବ୍ୟାଙ୍ଗ। ସେ ବଲାଙ୍ଗିର ଜିଲ୍ଳା ପୁଇଁତଲା ବ୍ଲକ ବାନ୍ଧନବାହାଲ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ୟ୍ୟ କରୁଛନ୍ତି। ଡିଜିଟାଲ ସିଷ୍ଟମରେ ଦରମା ପାଆନ୍ତି ପ୍ରଭୁଦତ୍ତ। କିନ୍ତୁ ୩ ମାସ ହେଲା ତାଙ୍କୁ ଦରମା ମିଳିନି। ପୁଇଁତଲା ବିଇଓଙ୍କ ଅବହେଳା ଯୋଗୁଁ ତାଙ୍କୁ ତିନିମାସ ହେଲା ଦରମା ମିଳିନାହିଁ ବୋଲି ଅଭିଯୋଗ ହୋଇଛି।ପ୍ରଭୁଦତ୍ତଙ୍କ ପରିବାରରେ ମୋଟ ୫ ଜଣ ସଦସ୍ୟ ଅଛନ୍ତି। ଦରମା ମିଳୁ ନଥିବାରୁ ଘର ଚଳାଇବାରେ ତାଙ୍କୁ ବଡ଼ କଷ୍ଟ ହେଉଛି। ତିନି ମାସ ହେଲା ଦରମା ମିଳୁନଥିବାରୁ ଏହାର ପ୍ରତିବାଦ କରିବା ପାଇଁ ସେ ଆଜି ଏକ ପନିପରିବା ଚାଷ ହେଉଥିବା ଜମିରେ ମୂଲ ଲାଗିଛନ୍ତି। ମୂଲ ଲାଗିବା ପାଇଁ ଆଜି ସେ ସ୍କୁଲରୁ ଛୁଟି ନେଇଥିଲେ। ସେ ଛୁଟି ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଦେଇଥିଲେ। ପ୍ରଧାନଶିକ୍ଷକ ତାଙ୍କ ଦରଖାସ୍ତ ଗ୍ରହଣ କରି ଛୁଟି ମଞ୍ଜୁର କରିଥିଲେ।