ଲକ୍ଷ୍ମଣ ନାୟକ ସହିଦ ଦିବସ ପାଳିତ
ମାଲକାନଗିରି : ଆଜି ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଲକ୍ଷ୍ମଣ ନାୟକ ସହୀଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସହୀଦଙ୍କ ପ୍ରତି ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ୱାଭିମାନର ପରିଚୟ ଦେବାକୁ କେବେ ଭୁଲି ନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ କୋରାପୁଟ ଜିଲ୍ଲାରେ ଭାରତଛାଡ ଆନେ୍ଦାଳନର ନେତୃତ୍ୱ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ । ଲକ୍ଷ୍ମଣ ନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ତାଙ୍କୁ ଭକ୍ତି ଓ ନତମସ୍ତକ କରିବାକୁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଆହ୍ୱାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଶ୍ରୀ ଜେନା କହିଥିଲେ ଯେ ଲକ୍ଷ୍ମଣ ନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ ସହ ସମାଜ ସଂସ୍କାରକ ଥିଲେ । କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଠାରେ ୧୮୯୯ ନଭେମ୍ବର ୨୨ ରେ ଲକ୍ଷ୍ମଣ ନାୟକ ଜନ୍ମ ଗ୍ରହଣ କରିଥିଲେ । ନିଶା ନିବାରଣ, ବାଲ୍ୟ ବିବାହ, ଜାତି ପ୍ରଥା, ବଳି ପ୍ରଥା ଭଳି କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେହିପରି ଅଧ୍ୟାପିକା ଇନ୍ଦୁରେଖା ପଟ୍ଟନାୟକ, ଗାୟତ୍ରୀ ଜେନା ଓ ରନôାକର ଦାସ ମଧ୍ୟ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।