ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର

ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର

ଭୁବନେଶ୍ୱର: ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ।  ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍‌ ଈଶ୍ବର । ଈଶ୍ବରଙ୍କ ଅନ୍ୟ ରୂପ ହେଲେ ଗୁରୁ। ଗୁରୁ ହେଉଛନ୍ତି ସାକ୍ଷାତ୍‌ ପରମ୍‌ବ୍ରହ୍ମ। ଭାରତବର୍ଷର ଗୁରୁଶିଷ୍ୟ ପରମ୍ପରା ବହୁ ପ୍ରାଚୀନ। ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ। ବିଦ୍ୟାଳୟରେ ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ। କଞ୍ଚାମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢ଼ିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ।  ଅଜ୍ଞାନ ରୂପକ ଅନ୍ଧକାରରୁ ଯିଏ ଆଲୋକ ଦେଖାନ୍ତି, ସେ ହିଁ ଗୁରୁ। ବାପାମା’ଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢ଼ିବା ପାଇଁ ସଠିକ୍ ମାର୍ଗ ଦେଖାଇଥାନ୍ତି। ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ, ଶୃଙ୍ଖଳିତ କରିବାରେ ତାଙ୍କ ଅବଦାନ ଥାଏ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପାଠଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ, ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁଙ୍କ ଯୋଗଦାନ ଲୋଡ଼ାଥାଏ । ଛାତ୍ରର ମାର୍ଗଦର୍ଶକ ସାଜି ଛାତ୍ରକୁ ଭଲ ମଣିଷ ରୂପେ ଗଢ଼ିତୋଳିବାରେ ଗୁରୁଙ୍କ ଭୂମିକା ସର୍ବାଗ୍ରେ। ତେଣୁ ଭାଗବତରେ ଅଛି ‘‘ଗୁରୁ ନ ଥାଇ ତୁ ଅର୍ଜୁନ, କାହୁଁ ପାଇବୁ ସଦଜ୍ଞାନ।’’ ଶିକ୍ଷାର୍ଥୀ-ଶିକ୍ଷକ-ଶିକ୍ଷାୟତନ ତ୍ରିଭୁଜ ଭଳି। ପ୍ରତ୍ୟେକ ପରସ୍ପରର ପରିପୂରକ। ଜଣକ ବିନା ଅନ୍ୟର ସ୍ଥିତି ନିରର୍ଥକ। ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ। ଅତୀତରେ ଗୁରୁକୁଳ ଆଶ୍ରମଗୁଡ଼ିକରେ ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା। ଗୁରୁଙ୍କ ଭିତରେ ଯେ ବିଶ୍ବ ଓ ବିଶ୍ବ ଭିତରେ ଯେ ଗୁରୁଙ୍କୁ ଅନୁଭବ କରେ ସେ ଗୁରୁକୃପା ଲାଭ କରିଥାଏ। ବିନା ଗୁରୁରେ ଜୀବନରେ ଗତି, ମୁକ୍ତି, ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ।