ଖବର ପ୍ରକାଶ ପରେ...ତତ୍ପର ହେଲା ପ୍ରଶାସନ : ବରୁଣେଶ୍ୱର ମନ୍ଦିର ଉନ୍ନତିକରଣ ନେଇ ଆଲୋଚନା 

 ବିଞ୍ଝାରପୁର : ପ୍ରସିଦ୍ଧ ଶୈବପୀଠ ବରୁଣେଶ୍ୱର ମନ୍ଦିରର ଉନ୍ନତୀକରଣ ପାଇଁ ପୂର୍ବ ସରକାର ପାଖାପାଖି ୭କୋଟିର ଅନୁଦାନ ଘୋଷଣା କରିଥିଲେ । ହେଲେ ଏଯାବଦ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନି । ପ୍ରକଳ୍ପକୁ ନେଇ ବିିଜେଡ଼ି-ବିଜେପି ମୁହାଁମୁହିଁ ହେଇଥିଲେ । ବିଭିନ୍ନ କାରଣରୁ ପ୍ରକଳ୍ପଟି ଆରମ୍ଭ ହୋଇଥିବା ବେଳେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଥଲା । ତେବେ ଏ ସମ୍ପର୍କରେ "ସୂର୍ଯ୍ୟପ୍ରଭା'ରେ ସରକାର ବଦଳିବା ପରେ ଅଟକିଲା ଅର୍ଥ, ଅନିଶ୍ଚିନ୍ତତା ଭିତରେ ବରୁଣେଶ୍ୱର ମନ୍ଦିର ସୈାନ୍ଦର୍ଯ୍ୟକରଣ’ ଶୀର୍ଷକ ଖବର ଚଳିତମାାସ ୯ତାରିଖରେ ପ୍ରକାଶ ପାଇଥିଲା । ଆଉ ତା ପରେ ତତ୍ପରହୋଇ ଉଠିଛି ଜିଲା ପ୍ରଶାସନ । ବରୁଣେଶ୍ୱର ଉନ୍ନତୀକରଣ ପ୍ରକଳ୍ପ ଆରମ୍ଭ ହେବାକୁ ନେଇ ଆଶା ଉଜ୍ଜୀବିତ ହୋଇଛି । ମଙ୍ଗଳବାର ବରୁଣେଶ୍ୱର ମନ୍ଦିର ପରିଦର୍ଶନରେ ଆସିଥିଲେ ଯାଜପୁର ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ । ଅରେଇ ଗ୍ରାମରେ ରହିଥିବା ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠ ପରିଦର୍ଶନରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଆସିଥିବା ବେଳେ ପ୍ରଥମେ ମନ୍ଦିରରେ ପହଁଚି ବରୁଣେଶ୍ୱରଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ଅରେଇ ପଂଚାାୟତର ସରପଂଚ ସ୍ମୃତି ସମୀକ୍ଷା ମଲ୍ଲିକ, ସ୍ଥାନୀୟ ଲୋକ ଏବଂ ମନ୍ଦିରର ପୂଜକମାନଙ୍କ ଠାରୁ ମନ୍ଦିରର ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ସରକାରଙ୍କ ତରଫରୁ ମନ୍ଦିର ଉନ୍ନତିକରଣ ପାଇଁ ଆସିଥିବା ଅର୍ଥକୁ କିପରି ସଠିକ୍ ଭାବେ ବିନିଯୋଗ କରାଯାଇ ପାରିବ ତାହା ସାଙ୍ଗରେ ଥିବା ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଆଲୋଚନା ସମୟରେ ପୂର୍ବତନ ସରପଂଚ ଦେବାନନ୍ଦ ମଲ୍ଲିକ ଏବଂ ସ୍ଥାନୀୟ ବାସିନ୍ଦା ହେମେନ୍ଦ୍ର ସାମଲ ପ୍ରଥମେ ମନ୍ଦିରର ସୀମା ନିର୍ଦ୍ଧାରଣ କରାଯାଉ ବୋଲି ଜିଲାପାଳଙ୍କୁ କହିବା ସହ ମନ୍ଦିର ଚତୁପାର୍ଶ୍ୱରେ ପାଚେରୀର ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଅପରପକ୍ଷରେ ଅରେଇ ସରପଂଚ ସ୍ମୃତିସମିକ୍ଷା ମଲ୍ଲିକ ସୀମା ନିର୍ଦ୍ଧାରଣ ପାଇଁ ଆବେଦନ କରିଥିଲେ । ଜିଲାପାଳଙ୍କ ସହ ଉପ-ଜିଲ୍ଲାପାଳ, ତହସିଲଦାର ସୁଧାଂଶୁ ଶେଖର ସାଓ, ବିଡ଼ିଓ ହୀତାଂଶୁ ଶେଖର ସାମଲ, କାର୍ତିକ ଚନ୍ଦ୍ର ଧଳ,ରଞ୍ଜନ କୁମାର୍ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।