କାର୍ତ୍ତିକ ଆରମ୍ଭରୁ ପରିବା ଦରରେ ନିଆଁ

ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: କାର୍ତ୍ତିକ ମାସ ଆରମ୍ଭରୁ ହିଁ ଏବେ ସବୁଠି ପରିବା ଦରରେ ନିଆଁ ଲାଗିଛି । ଏହି କ୍ରମରେ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ ମଧ୍ୟ ପରିବା ଦର ଆକାଶ ଛୁଆଁ ହୋଇଛି । ବ୍ରହ୍ମବରଦା ବଜାରରେ ଏବେ ସଜନା ଛୁଇଁ କିଲୋ ପିଛା ୨୫୦ଟଙ୍କା କରି ବିକ୍ରୟ ହେଉଥିବା ବେଳେ କାଙ୍କଡ଼ କିଲୋ ପିଛା ୧୦୦ଟଙ୍କା ରହିଛି । ତା ଛଡା ଏଠାରେ ପୋଟଳ ୮୦ଟଙ୍କା, ଭେଣ୍ଡି ୬୦, କଲରା ୮୦, ଝୁଡ଼ଙ୍ଗ ୮୦, କାକୁଡି ୫୦, କ୍ୟାପ୍ସିକମ ୧୮୦ ଓ ବାଇଗଣ ୬୦ଟଙ୍କା କେଜିରେ ବିକ୍ରି କରାଯାଉଛି । ଯାହା ଖାଉଟିଙ୍କ ଚିନ୍ତାକୁ ଦୁଇଗୁଣିତ କରିଛି । ଏହା ବ୍ୟତୀତ ହିନ୍ଦୁ ଧର୍ମର ପବିତ୍ର କାର୍ତ୍ତିକ ମାସ ଏବେ ଚାଲୁ ରହିଥିବାରୁ ଲୋକେ ଏବେ ନିରାମିଷ ଭୋଜନକୁ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଏହି ପରିବା ଦର ହବିଷିଆଳି ମାନଙ୍କ ପାଇଁ ଚିନ୍ତା ବଢାଇଛି । ବଜାରରେ ପନିପରିବା ଚଢ଼ା ଦରରେ ବିକ୍ରୟ ହେଉଥିବାରୁ ଖାଉଟିଙ୍କ ତରକାରୀରୁ ଏବେ ପରିବା ଉଭାନ ହୋଇଯାଇଛି । ଗୋଟିଏ ପଟେ ଶୀତଳ ଭଣ୍ଡାର ଅଭାବ, ଜିଲାରେ ଆବଶ୍ୟକ ପରିମାଣର ପନିପରିବା ଉତ୍ପନ୍ନ ହେଉନଥିବା ଓ ବାହାର ଜିଲାରୁ ପନିପରିବା ଆସୁଥିବାରୁ ପରିବା ଦର ଅହେତୁକ ବୃଦ୍ଧି ଘଟୁଛି ବୋଲି ବ୍ୟବସାୟୀ କହିଛନ୍ତି ।
ସିଂହପୁର: ବିଞ୍ଝାରପୁର ବ୍ଲକରେ ପନିପରିବା ଦର ଆକାଶ ଛୁଆଁ ହୋଇଛି । କାର୍ତ୍ତିକ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକେ ନିରାମିଷ ଭୋଜନକୁ ଗୁରୁତ୍ୱ ଦେଉଛନ୍ତି । ସିଂହପୁର ବଜାରରେ ବାଇଗଣ କିଲୋ ୭୦, କଲରା୮୦, ଭେଣ୍ଡି ୭୦, ଟମାଟୋ ୮୦, ଫୁଲ କୋବି ୬୦ ଟଙ୍କା ଦର ରହିଛି । ବଜାର ଦର ଚଢ଼ା ରହିଥିବାରୁ ପନି ପରିବା ପଚିବା ଭୟରେ ବ୍ୟବସାୟୀ ଅଧିକ ଆଣୁ ନାହାନ୍ତି । ଏଥି ପାଇଁ ବ୍ୟବସାୟୀ ମନଇଚ୍ଛା ଦର ନେଇ ଖାଉଟିଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନି । ଗୋଟିଏ ପଟେ ଶୀତଳ ଭଣ୍ଡାର ନ ଥିବା ବେଳେ ଅପର ପାର୍ଶ୍ୱରେ ଜିଲା ମଧ୍ୟରେ ଆବଶ୍ୟକ ପନି ପରିବା ଉପଲବ୍ଧ ହେଉ ନ ଥିବାରୁ ବାହାର ଜିଲାରୁ ପନିପରିବା ଆସୁଛି । ଗାଡ଼ି ଭଡା ସାଙ୍ଗକୁ ପନିପରିବା ପଚି ଯାଉ ଥିବାରୁ ବାଧ୍ୟ ହୋଇ ଦର କମାଇ ପାରୁନୁ ବୋଲି ବ୍ୟବସାୟୀ କହିଛନ୍ତି ।