ଦେଶୀ ମଦର ଚୋରା କାରବାର: ଅବକାରୀ ଅଧିକାରୀଙ୍କୁ ଅଭିଯୋଗ
ଦାନଗଦୀ: ନିର୍ଭୟରେ ଦିନ ଦ୍ୱି ପ୍ରହରରେ ଖୁଲୁମୁଖୁଲା ଗାଁ ଗହଳିରେ ବିକ୍ରି ହେଉଛି ମହୁଲି ମଦ । ଦୈନିକ ଦାନଗଦୀ ବ୍ଲକ ଶିଳ୍ପାଞ୍ଚଳ ଚାରିପାଖରେ ଥିବା ଗାଁ ଗୁଡିକରେ ଶହଶହ ଲିଟର ମଦ ବିକ୍ରି ହେଉଥିବା ବେଳେ ଚୋରା ମଦ ବେପାରୀ ମାଲେମାଲ ହେଉଛନ୍ତି । ସର୍ବ ସ୍ୱାନ୍ତ ହେଉଛନ୍ତି ଖଟିଖିଆ ଗରିବ ଲୋକ । କଳିଙ୍ଗନଗର ଶିଳ୍ପାଂଚଳ ହେଲା ପରେ କାରଖାନା ଚାରିପାଖରେ ଥିବା ଗାଁ ଗୁଡିକରେ ଚୋରା ମଦ ବହୁଳ ପରିମାଣରେ ବିକ୍ରି ଚାଲିଥିବା ନେଇ ଅବକାରୀ ଅଧିକାରୀଙ୍କୁ ଅଭିଯୋଗ ହୋଇଛି । ଅଭିଯୋଗରେ କୁହାଯାଇଛି ସଞ୍ଜ ନଇଁଲେ ଗାଁ ଗହଳିରେ ମଦୁଆଙ୍କର ଉତ୍ପାତ ପଢୁଛି । ଦାନଗଦୀ ବ୍ଲକ କୁମ୍ଭୀରଗଡ଼ିଆ ପଂଚାୟତର ମାରୁଟିକର ଗାଁରେ୧୦ ରୁ ୧୫ ଜଣ ଦେଶୀ ମହୁଲି ମଦ ବିକୁଛନ୍ତି ।
ଗାଁର ଘରେ ଘରେ, ପାନ ଦୋକାନ, ରାସନ ଦୋକାନରେ ମଦ ଲୁଚାଇ ରଖି ବିକ୍ରି କରାଯାଉଛି । ଏହାକୁ ନେଇ ଗ୍ରାମବାସୀ ଯାଜପୁର ରୋଡ଼ ଅବକାରୀ ବିଭାଗକୁ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା କଥା ଏହି ଚୋରା ଦେଶୀ ମହୁଲି ମଦ ଗାଁ ଭିତରେ ବିକିବା ଦ୍ୱାରା ଗାଁ ପରିବେଶ ନଷ୍ଟ ହେଉଛି । ଗାଁର ଝିଅ ବୋହୁ ଖରାପ ଭାଷା ମଦୁଆ ମାନଙ୍କ ଠାରୁ ଶୁଣି ସୁରକ୍ଷିତ ରହୁ ନାହାଁନ୍ତି । ମଦ ପିଇ ଗାଁରେ ବହୁତ ଲୋକଙ୍କ କୀଡୀନ ନଷ୍ଟ ହୋଇ ଗଲାଣି । ଦିନ ମଜୁରିଆ ଯାହା ଦି ପଇସା ରୋଜଗାର କରି ଆଣିଲେ ମଦ ଦୋକାନରେ ଖର୍ଚ୍ଚ କରିଦେବାରୁ ଘରେ ଚୁଲି ଜଳିବା କଷ୍ଟକର ହୋଇପଡୁଛି । ମଦ ବେପାରୀଙ୍କ ଉପରେ ଚଢ଼ାଉ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।