ଟେରାକୋଟା ପ୍ରଦର୍ଶନୀ ଉଦ୍ଘାଟିତ
କଟକ : ରାଜ୍ୟସ୍ତରୀୟ ଟେରାକୋଟା ପ୍ରଦର୍ଶନୀ-୨୦୨୫ ସ୍ଥାନୀୟ ଖ୍ରୀଷ୍ଟିୟାନ ସାହି ପଡ଼ିଆଠାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଟେରାକୋଟାରେ ଉପଲବ୍ଧ ସାମଗ୍ରୀ ସଂପର୍କରେ ଜନସାଧାରଣ ଅବଗତ ହୋଇପାରିଲେ ଏହା ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବ ଓ ପରିବେଶ ଅନୁକୂଳ ହୋଇପାରିବ ବୋଲି ଶ୍ରୀ ସିନେ୍ଦ ମତବ୍ୟକ୍ତ କରିଥିଲେ । ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀରେ ମୋଟ ୭୫ଟି ଷ୍ଟଲ ଲାଗିଛି । ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ଉତ୍ପାଦକ ଗୋଷ୍ଠୀ ଓ ବ୍ୟକ୍ତିବିଶେଷ ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି । ପ୍ରଦର୍ଶନୀରେ ଆକର୍ଷଣୀୟ ଟେରାକୋଟା ସାମଗ୍ରୀ ଗୁଡ଼ିକ ପ୍ରଦର୍ଶିତ ହେଉଛି । ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ହସ୍ତଶିଳ୍ପ ଉପନିଦେ୍ର୍ଦଶକ ଜ୍ୟୋତିରଂଜନ ଜେନା, ହସ୍ତଶିଳ୍ପ ବିକାଶ ଅଧିକାରୀ ସୁଶାନ୍ତ ସାମଲ ଏବଂ ତାପସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ହସ୍ତଶିଳ୍ପ ଅଧିକାରୀ ମାନସ ରଂଜନ ସେଠୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ପ୍ରଦର୍ଶନୀ ଟେରାକୋଟା କାରିଗରମାନଙ୍କୁ ବିଶେଷ ସହାୟତା ଯୋଗାଇବାରେ ସହାୟକ ହେବ । ପ୍ରଦର୍ଶନୀର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।