ଜାତୀୟ ଶିକ୍ଷାଦିବସ ପାଳିତ
ସାଲେପୁର: ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ‘ଜାତୀୟ ଶିକ୍ଷା ଦିବସ’ ମହାବିଦ୍ୟାଳୟର ମଧୁସୂଦନ ପ୍ରେକ୍ଷାଳୟରେ ଅଧ୍ୟକ୍ଷା ଡଃ ସଂଗୀତା ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଅଧ୍ୟକ୍ଷାଙ୍କ ସହ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମିଶ୍ର ଅତିଥିମାନଙ୍କ ଉଦେ୍ଦଶ୍ୟରେ ସ୍ୱାଗତ ଭାଷଣ ଦେବା ସହ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଡଃ ମୌଲାନା ଆବୁଲ କାଲାମ ଆଜାଦଙ୍କ ସଂପର୍କରେ ଆଲୋକପାତ କରିବା ସହ ନୂତନ ଶିକ୍ଷାନୀତି ୨୦୨୦ ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରାଧ୍ୟାପକ ପ୍ରଫେସର ଡଃ ବନବିହାରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦ ଭୁବନେଶ୍ୱରର ଶିକ୍ଷାବିଭାଗ ପ୍ରଫେସର ଡଃ ରମାକାନ୍ତ ମାହାଲିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ପ୍ରସନ୍ନ କୁମାର ମହାପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ବିଭାଗୀୟ ମୁଖ୍ୟ ଡଃ ଅଙ୍କିତା ରାୟ ମଞ୍ଚ ପରିଚାଳନା ଓ ଅଧ୍ୟାପିକା ସ୍ୱର୍ଣ୍ଣମୟୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ସ୍ୱାତୀ ପଣ୍ଡା, ଶିକ୍ଷାଅଧିକାରୀ ଜୟନ୍ତୀବାଳା ପରିଜା, ରସାୟନ ବିଭାଗ ମୁଖ୍ୟ ଡଃ ଅମ୍ରିତ୍ ପରିଜା ପ୍ରମୁଖ ଯୋଗ ଦେଇ ଜାତୀୟ ଶିକ୍ଷାଦିବସର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ମୁଖ୍ୟ ପ୍ରଫୁଲ୍ଲ କୁମାର ସାହୁ, ପରିସଂଖ୍ୟାନ ବିଭାଗର ମୁଖ୍ୟ ସୀତାଂଶୁ ଶେଖର ମିଶ୍ର, ଅଧ୍ୟାପିକା ସାରସ୍ୱତ ରାଉତଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।