ରାଜ୍ୟରେ ବାଘ ୨୭ ଓ ହାତୀ ୨୦୯୮
tiger and elephant

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜଙ୍ଗଲରେ ୨୭ଟି ବାଘ ଅଛନ୍ତି । ୨୦୯୮ ହାତୀ ଅଛନ୍ତି । ବନ୍ୟପ୍ରାଣୀ ଗଣନାର ଫଳାଫଳ ନେଇ ଏଭଳି ତଥ୍ୟ ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହଛନ୍ତିଯେ, ରାଜ୍ୟରେ ବଉଳା କୁମ୍ଭୀର, ଗୋମୁହାଁ କୁମ୍ଭୀର, ଘଡ଼ିଆଳ କୁମ୍ଭୀର, କୃଷ୍ଣସାର ମୃଗ ଓ ହାତୀମାନଙ୍କର ସଂଖ୍ୟା ଗଣନା କରାଯାଇଥାଏ । ସେହିପରି ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ, ଇରାୱାଡ଼ି ଡଲଫିନ୍, ବାଘ ଓ ପରିବ୍ରାଜକ ପକ୍ଷୀମାନଙ୍କର ସଂଖ୍ୟା ଆକଳନ ହୋଇଥାଏ ।
୨୦୨୩-୨୪ରେ ହୋଇଥିବା ବନ୍ୟପ୍ରାଣୀ ଗଣନା ଅନୁଯାୟୀ, ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର ଅଛନ୍ତି । ସେହିପରି ସାତକୋଶିଆରେ ୯୭ ଗୋମୁହାଁ କୁମ୍ଭୀର, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନଦୀରେ ୭୬, ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋମୁହାଁ କୁମ୍ଭୀର ରହିଛନ୍ତି । ଅପରପକ୍ଷରେ ମହାନଦୀରେ ୧୪ଟି ଘଡ଼ିଆଳ କୁମ୍ଭୀର ଥିବାବେଳେ ଗହୀରମଥାରେ ୩ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ, ଚିଲିକା ସହିତ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡଲଫିନ, ରାଜ୍ୟରେ ୨୦୯୮ ହାତୀ ଓ ୨୭ ବାଘ, ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦.୯୯ ଲକ୍ଷ ବିଦେଶାଗତ ପକ୍ଷୀ, ଭିତରକନିକାରେ ୧୨୧ ପ୍ରଜାତିର ୧.୫୧ ଲକ୍ଷ ପକ୍ଷୀ ଓ ହୀରାକୁଦରେ ୧୧୩ ପ୍ରଜାତିର ୩.୪୨ ଲକ୍ଷ ବିଦେଶାଗତ ପକ୍ଷୀ ରହିଛନ୍ତି ।