ସୁନା ଚେନ୍ ଓ ସ୍କୁଟି ଜବତ ; ଲୁଟେରା ଗିରଫ

ଭୁବନେଶ୍ୱର,୨୦ ।୮ : ଘର ନିକଟରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲା ଲୁଟେରା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି । ଗିରଫ ଲୁଟେରା ଠାରୁ ଏକ ସୁନା ଚେନ୍ ଓ ଏକ ସ୍କୁଟି ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, କେନ୍ଦ୍ରପଡ଼ା ଜିଲ୍ଲାର ବାଦଲ ସେଠୀ । ଏଠାରେ ସେ ମଞ୍ଚେଶ୍ୱର ଥାନା ଅଧିନ ରସୁଲଗଡ଼ ଜିଜିପି କଲୋନୀରେ ରହି ଆସୁଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ୧୮ତାରିଖ ମଧ୍ୟାହ୍ନ ସମୟରେ ଅଭିଯୋଗକାରିଣୀ ଜଣଙ୍କ ତାଙ୍କ ଘରକୁ ଚାଲିଚାଲି ଯାଉଥିଲେ । ଏହି ସମୟରେ ଲୁଟେରା ଜଣକ ଏକ ସ୍କୁଟିରେ ପଛପଟୁ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଥିଲା । ଏତିକି ବେଳେ ମହିଳା ଜଣଙ୍କ ଚିକ୍ରାର କରିବାରୁ କିଛି ସ୍ଥାନୀୟ ଲୋକେ ଲୁଟେରାକୁ ପିଛାକରିଥିଲେ ମଧ୍ୟ ତାକୁ ଧରିବାରେ ଅସଫଳ ହୋଇଥିଲେ । ଫଳରେ ଏନେଇ ଅଭିଯୋଗକାରିଣୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ରସୁଲଗଡ଼ ଜିଜିପି କଲୋନୀ ଅଞ୍ଚଳରୁ ଲୁଟେରାକୁ ଗିରଫ କରିବା ସହ ତାଠାରୁ ଚୋରି ସୁନା ଚେନ୍ ଓ ସ୍କୁଟିକୁ ଜବତ କରିଛି ।